ଢେଙ୍କାନାଳ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳ ଇଟାଭାଟିରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ, ଜଣେ ଗୁରୁତର

144

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ବ୍ରାହ୍ମଣୀ ନଦୀକୂଳରେ ବେଆଇନ ଇଟାଭାଟିରେ ବଡ ଅଘଟଣ । କମଳାଙ୍ଗ ଗାଁର ଅଘଟଣ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଇଟାଭାଟି ଜଳୁଥିବା ବେଳେ ଇଟାଭାଟି ଉପରେ ଶୋଇବାକୁ ଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୭ ବର୍ଷର ନାବାଳକ ।

ଏମାନେ ସମସ୍ତେ ଛତିଶଗଡ ମହାସମୁନ୍ଦ ଅଂଚଳର ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଓ ପୁଅ । କିଏ ଜାଣିଥିଲା କେମିତି ଆସିବ ମୃତ୍ୟୁ । ଜଙ୍ଗଲି ହାତୀ ଭୟରେ ଇଟା ଭାଟି ଉପରେ ଶୋଇବାକୁ ଯାଇଥିଲେ ୪ ଜଣ ଶ୍ରମିକ । ସକାଳୁ ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୩ଜଣଙ୍କ ମୃତଦେହ ଇଟାଭାଟିରୁ ତଳକୁ ଆସିଛି ।

ଇଟାଭାଟି ଉପରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଶିବ ଦାଶ ଭୋଇଙ୍କୁ ତାଳଚେର ମେଡିକାଲରେ ଭର୍ତି କରାଯାଇଛି । ଖବର ପାଇ କଂଟାବଣିଆ ଓ ତାଳଚେର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ବେଆଇନ ଭାବେ ଇଟାଭାଟି ଚଲାଉଥିବା ମାଲିକ ଫେରାର ହୋଇଯାଇଛି ।

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଗୁଡିକ ଚାଲିଛି । ଗଲା ଡିସେମ୍ବର ୧୫ ତାରିଖରେ ମାନପୁର ଅଂଚଳର ଏକ ବେଆଇନ ଇଟାଭାଟିରେ ଶ୍ୱାସ ରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ୫୫ ଦିନ ଭିତରେ ୫ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି ।