କନକ ବ୍ୟୁରୋ: ଆମେରିକାର ସ୍କୁଲରେ ଭୟାବହ ଗୁଳିକାଣ୍ଡର ସପ୍ତାହେ ପୁରୁଣୁ ଆଉ ଏକ ଗୁଳିକାଣ୍ଡ ଘଟିଛି । ଓକଲାହୋମାର ଟୁଲସା ଇଲାକାରେ ଥିବା ଏକ ହସ୍ପିଟାଲରେ ଜଣେ ଦୁର୍ବୁତ୍ତ ଆଖିବୁଜା ଗୁଳିମାଡ କରିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଗୁଲିମାଡ କରିବା ପରେ ସୁଟର ନିଜକୁ ନିଜେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି ।

Advertisment

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଜଣେ ଯୁବକ ବନ୍ଧୁକ ନେଇ ମେଡିକାଲ ମଧ୍ୟକୁ ପ୍ରବେଶ କଲା । ଆଉ କେହି କିଛି ବୁଝିବା ଆଗରୁ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଆଉ ପରେ ପରେ ନିଜକୁ ମଧ୍ୟ ଗୁଳି କରି ହତ୍ୟା କଲା । ଏହି ଘଟଣା ବିଷୟରେ ଏବେଯାଏଁ ସବିଶେଷ ତଥ୍ୟ ପୋଲିସର ହସ୍ତଗତ ହୋଇନଥିବାବେଳେ ପୋଲିସ ହସ୍ପିଟାଲର ଓ ଆଖାପାଖର ସବୁ ସିସିଟିଭିକୁ ଯାଞ୍ଚ କରୁଛି ।

ଏବେ ଆମେରିକାରେ ବନ୍ଧୁକ ଆତଙ୍କ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ୮ ଦିନ ପୂର୍ବରୁ ଟେକ୍ସାସ୍ ର ଏକ ସ୍କୁଲରେ ଜଣେ ଯୁବକ ଆଖିବୁଜା ଗୁଳିମାଡ କରିବାରୁ ୧୯ଜଣ ଛାତ୍ରଛାତ୍ରୀଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆଉ ଜଣେ ସନ୍ଦିଗ୍ଧ ସ୍କୁଲ ବାହାରେ ବନ୍ଧୁକ ଧରି ବୁଲୁଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା ।