୪ ମନ୍ତ୍ରୀଙ୍କ ସମେତ ୪୦ ହେଭିୱେଟ୍ ନେତାଙ୍କ ଆଜି ଭାଗ୍ୟ ପରୀକ୍ଷା । ହିଞ୍ଜିଳି ଓ ବିଜେପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସେପଟେ ମୈଦାନରେ ଜୁଏଲ, ନରସିଂହ, କେଭି, ପ୍ରସନ୍ନ, କଳିକେଶ ପରି ପ୍ରମୁଖ ନେତା

69

କନକ ବ୍ୟୁରୋ: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପଡିବ ଭୋଟ୍ । ସକାଳ ୭ଟାରୁ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆସ୍କା, ବରଗଡ, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ ପଡିବାକୁ ଯାଉଛି । ୫ଟି ଲୋକସଭା ପାଇଁ ୩୫ ଜଣ ପ୍ରାର୍ଥୀ ଓ ୩୫ ବିଧାନସଭା ଆସନରେ ମୋଟ୍ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଚରଣରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତା ଭାଗ୍ୟ ପରୀକ୍ଷା କରୁଥିବାରୁ ନିର୍ବାଚନର ଗୁରୁତ୍ୱ ବଢିଯାଇଛି ।

 

ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ଏଥର ମୁଖ୍ୟମନ୍ତ୍ରୀ ବିଜେପୁର ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି । ଦ୍ୱିତୀୟ ଚରଣରେ ଆସ୍କା ଲୋକସଭା ସମେତ ଏହା ଅନ୍ତର୍ଗତ ହିଞ୍ଜିଳି ଓ ବରଗଡ ଲୋକସଭା ସହ ବିଜେପୁର ବିଧାନସଭା ଆସନରେ ମତଦାନ ହେବ । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପିରୁ ପୀତାମ୍ବର ଆଚାର୍ଯ୍ୟ ଲଢୁଥିବାବେଳେ ବିଜେପୁରରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରିପୁନାଥ ସେଠ୍ । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପାଟଣାଗଡରୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ । ବଲାଙ୍ଗୀରରେ ନରସିଂହଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସାଂସଦ କଳିକେଶ ସିଂଦେଓଙ୍କ ଭାଇ ଅର୍କେଶ ସିଂଦେଓ । ସେପଟେ ପାଟଣାଗଡରେ କେଭିଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ସରୋଜ ମେହେର ।

ଆସ୍କା ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋଇ । ପ୍ରମିଳାଙ୍କ ସହ ବିଜେପିରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ । ସୁନ୍ଦରଗଡ ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଟକ୍କର ଦେଉଛନ୍ତି ବିଜେଡିରୁ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ । ଏଠାରେ କଂଗ୍ରେସର ପ୍ରାର୍ଥୀ ଜର୍ଜ ତିର୍କୀ । ବଲାଙ୍ଗୀର ଲୋକସଭା ଆସନରେ ବିଜେଡିରୁ ପୁଣିଥରେ ସାଂସଦ କଳିକେଶ ସିଂଦେଓ ଭାଗ୍ୟ ପରିକ୍ଷା କରୁଥିବାବେଳେ ବିଜେପିରୁ ପୂର୍ବତନ ସାଂସଦ ସଂଗୀତା ସିଂଦେଓ ଏବଂ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ମୈଦାନରେ ଅଛନ୍ତି । ବରଗଡ ଲୋକସଭା ଆସନରେ ମୁହାଁମୁହିଁ ହେଉଛନ୍ତି ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେପିରୁ ସୁରେଶ ପୂଜାରୀ । ସେହିପରି କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ମୋଟ୍ ୯ ହଜାର ୧୧୭ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା । ଏହି ଚରଣରେ ବହୁ ହେଭିୱେଟ୍ ନେତା, ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଅତାବିରାରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ମନ୍ତ୍ରୀ ସୁଶାନ୍ତ ସିଂହ, ସୋନପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭଞ୍ଜନଗରରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବୌଦ୍ଧରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ । ସେହିପରି ପଦ୍ମପୁରରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ନବ ଦାସ, ତଳସରାରେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡରେ ବିଜେଡିର ଯୋଗେଶ ସିଂ, ବିଜେପିର କୁଷୁମ ଟେଟେ ଓ କଂଗ୍ରେସର ଅମିତା ବିଶ୍ୱାଳଙ୍କ ଉପରେ ନଜର ରହିବ ।