ପାଟଣା ବମ୍ ବ୍ଲାଷ୍ଟ : ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଲେ ଏନଆଇଏ କୋର୍ଟ ।

453

କନକ ବ୍ୟୁରୋ: ୨୦୧୩ ପାଟଣା ଗାନ୍ଧୀ ମଇଦାନ ସିରିଏଲ ବମ୍ ବ୍ଲାଷ୍ଟ ମାମଲାରେ ଆସିଛି କୋର୍ଟଙ୍କ ରାୟ । ଏନଆଇଏ କୋର୍ଟ, ପାଟଣା ଆଜି ଏହି ମାମଲାର ଶୁଣାଣି କରିବା ସହିତ ୯ ଜଣ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହା ଭିତରୁ କୋର୍ଟ ୪ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବାବେଳେ ୨ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଖାଲି ସେତିକି ନୁହେଁ ୨ ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଓ ଜଣେ ଅଭିଯୁକ୍ତକୁ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଅକ୍ଟୋବର ୨୭ ତାରିଖରେ ବିହାରର ପାଟଣା ଗାନ୍ଧୀ ମଇଦାନରେ ଏକ ରାଲି ସମୟରେ ସିରିଏଲ ବମ୍ ବ୍ଲାଷ୍ଟ ହୋଇଥିଲା । ଏହି ସମୟରେ ସେଠାରେ ସେତେବେଳର ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କର ହୁଙ୍କାର ରାଲି ହେବାକୁ ଯାଉଥିଲା । ଏହି ଘଟଣାରେ ସେତେବେଳେ ପ୍ରାୟ ୬ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଥିଲେ ।  ଏହି ରାଲି ସମୟରେ ମାତ୍ର ୧୫୦ ମିଟର ଭିତରେ ଦୁଇଟି ବମ୍ ଫୁଟି ଥିଲା । ଗୋଟିଏ ୧୨.୨୫ ମିନିଟରେ ଫୁଟିଥିବାବେଳେ ଅନ୍ୟଟି ଏହାର କିଛି ସମୟ ପରେ ଫୁଟିଥିଲା । ତେବେ ଏହି ବମ୍ ବ୍ଲାଷ୍ଟ ସମୟରେ ବିଜେପିର ବଡ ବଡ ନେତା ଷ୍ଟେଜ୍ ଉପରେ ଉପସ୍ଥିତ ଥିଲେ । ହେଲେ ଆଜି ଏହି ଘଟଣାର ରାୟ ପ୍ରକାଶ ପାଇବା ସହିତ ଦୋଷୀମାନଙ୍କୁ ଦଣ୍ଡାଦେଶ ଶୁଣାଣିଛନ୍ତି ଏନଆଇଏ କୋର୍ଟ ।