ଏଥର ବି ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି । ନିରାଡମ୍ବର ପାଳିବାକୁ ସରକାରଙ୍କ ଅନୁରୋଧ…

173

କନକ ବ୍ୟୁରୋ: ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ନେଇ ଆସିଲା ବଡ ଖବର । ବଢିବନି ମୂର୍ତ୍ତିର ଉଚ୍ଚତା । ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ଉଚ୍ଚତା । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ଦେବୀଙ୍କ ମୂର୍ତ୍ତି ଉଚ୍ଚତା । କରୋନା ପାଇଁ ଏଥର ନିରାଡ଼ମ୍ବରରେ ମା’ଙ୍କୁ ଆରାଧନା କରିବା । ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବାକୁ ଓଡିଶାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଏସଆରସି କହିଛନ୍ତି ଏ ବର୍ଷଟା ଆମେ ଧର୍ଯ୍ୟର ସହ ସରକାରଙ୍କ ଗାଇଡଲାଇନକୁ ମାନିବା । ଏଭଳି କଠିନ ସମୟରେ ଆମେ ଆଉ କିଛିଦିନ କଷ୍ଟ କରିବା । ପ୍ରାର୍ଥନା କରିବା ଆରଥରକୁ ମା’ଙ୍କୁ ସିଧାସଳଖ ଦର୍ଶନ କରି ପାରନ୍ତୁ ଭକ୍ତ । ପୂଜା କମିଟିଗୁଡ଼ିକୁ ଅନୁରୋଧ, ସରକାରଙ୍କୁ ଏମିତି ସହଯୋଗ କରୁଥାନ୍ତୁ । ଏମିତି ସହଯୋଗ ହିଁ ଆମକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଲଢ଼ିବାକୁ ବଳଦେବ ।

ଆମେ କରୋନାର ୨ଟି ଲହର ଦେଖି ସାରିଲେଣି । ଆମେ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇଛୁ । ଜନସ୍ୱାର୍ଥ ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅନେକ କ୍ଷେତ୍ରରେ କଟକଣା ରଖିଛୁ । କରୋନାର ମୂଳମନ୍ତ୍ର ସାମାଜିକ ଦୂରତା ବଜାୟ ରଖିବା । ମାସ୍କକୁ ସଠିକ ଢଙ୍ଗରେ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା । କରୋନାର ୨ୟ ଲହର ଏଯାଏଁ ସରିନି । ବିଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଛି । ଆମ ଦେଶରେ ବି ସଂଖ୍ୟା ବଢୁଛି, କେରଳ ଚିନ୍ତାର କାରଣ । ଓନାମ ପର୍ବ ପାଳନ ପରେ ପଜିଟିଭ ସଂଖ୍ୟା ବଢିଛି । କୁମ୍ଭମେଳା ଏବଂ ଓନାମ ପର୍ବରୁ ଶିକ୍ଷା ଲାଭ କରିବା ବୋଲି ଏସଆରସି କହି ପାର୍ବଣ କଟକଣାର ଗାର ଟାଣିଛନ୍ତି ।