କନକ ବ୍ୟୁରୋ : ଗାଁରେ ଚାନ୍ଦା ଦେଲେନି ବୋଲି ବାସନ୍ଦ ହେଲେ ୪ ପରିବାର । ଏହି ପରିବାରକୁ ଗାଁରେ ଥିବା ମନ୍ଦିର, ପାଣି ଏବଂ ଅନ୍ୟାନ ମୌଳିକ ସୁବିଧାରୁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଅନ୍ଧାର ରାତିରେ ଘର ଉପରକୁ ଟେକା ପଥର ମାଡ କରିବା ଫଳରେ ଆହାତ ହୋଇଛନ୍ତି ପୀଡିତ ପରିବାରର ସଦସ୍ୟ ।

Advertisment

କେନ୍ଦ୍ରାପଡ଼ା ମହାକାଳପଡା ଥାନାରେ ଅଭିଯୋଗ ହେବାପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ମହାକାଳପଡା ବ୍ଲକ ଅଳେଇଲୋ ପଂଚାୟତର ବିଲିପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମରେ ହେଉଥିବା ଯଜ୍ଞ ପାଇଁ ଚାନ୍ଦା ଦେବାପାଇଁ ଅକ୍ଷମତା ପ୍ରକାଶ କରିବାରୁ ଦୀର୍ଘଦିନ ହେବ ୪ ଟି ପରିବାରକୁ ଗାଁର କିଛି ଲୋକ ବାସନ୍ଦ କରି ରଖିଥିବାର ଅଭିଯୋଗ ହୋଇଛି । ଏହି ପରିବାର ଲୋକଙ୍କୁ ଗାଁରେ ମନ୍ଦିରରେ ପୁଜାପାଠ ସହିତ ଅନ୍ୟାନ୍ୟ ମୈାଳିକ ସୁବିଧାରୁ ଦୀର୍ଘଦିନ ହେବ ବଂଚିତ ରଖାଯାଇଛି ।

ଆକ୍ରୋଶମୂଳକ ଭାବରେ ବିଭିନ୍ନ କଟକଣା ଲଗାଯାଇ ଜାଣିଶୁଣି ହଇରାଣ ହରକତ କରାଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ହୋଇଛି ବାସନ୍ଦ ହୋଇ ରହିଥିବା ଏହି ୪ ପରିବାର ଲୋକମାନେ ନିଜ ଜମିରେ ଚାଷ କାର୍ଯ୍ୟ କରିବା ପାଇଁ ଗଲେ ମଧ୍ୟ ସେମାନଙ୍କୁ ଗାଁର କିଛି ଲୋକ ବାରଣ କରିବା ସହିତ ଚାଷ କାର୍ଯ୍ୟ କରାଇ ଦେଉନଥିବାର ଅଭିଯୋଗ ହୋଇଛି ।