ମୁଣ୍ଡଳୀ ଟୋଲଗେଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ମାଡ ଘଟଣା : ୪ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ

2,524

କନକ ବ୍ୟୁରୋ : ମୁଣ୍ଡଳୀ ଟୋଲଗେଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ୪ ଅଭିଯୁକ୍ତ । ଜାମିନ୍ ନାମଞ୍ଜୁର ହେବାରୁ ୪ ଜଣଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଏହା ସହ ମୁଣ୍ଡଳୀ ଠାରେ ଥିବା ଟୋଲ ଗେଟକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଛତିଶଗଡ଼ ପଠାଇ ଦିଆଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଟୋଲ୍ ଆଦାୟକୁ ନେଇ ଆଠଗଡ଼ ମୁଣ୍ଡଳି ଟୋଲ୍ ଗେଟ୍ରେ ଗଣ୍ଡଗୋଳ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ । ଟୋଲ୍ ଗେଟ୍ କର୍ମଚାରୀ ଛତିଶଗଡ଼ରୁ ଆସିଥିବା ଦୁଇଟି ତୀର୍ଥଯାତ୍ରୀ ବସକୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ମଙ୍ଗଳବାର ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟରେ ପହଞ୍ଚିଥିଲା ।

ଏମାନେ ତୀର୍ଥ ଯାତ୍ରା ଶେଷ କରି ଛତିଶଗଡ଼ ଯାଉଥିଲେ । ଟୋଲ୍ ଗେଟ୍ କର୍ମଚାରୀ ବସ୍ ପିଛା ୫୦୦ ଟଙ୍କା ଦେବାକୁ କହିଥିଲେ । ହେଲେ ପ୍ରତିଥର ୨୦୦ ଟଙ୍କା ଦେଇ ଯିବା ଆସିବା କରୁଥିବା କହିଥିଲେ ବସ୍ ଡ୍ରାଇଭର । ଏହାକୁ ନେଇ ବଚସା ହୋଇଥିଲା । ଯାହାକି ଗଣ୍ଡଗୋଳର ରୂପ ନେଇଥିଲା । ଟୋଲ୍ ଗେଟ୍ କର୍ମଚାରୀ ତୀର୍ଥଯାତ୍ରୀଙ୍କୁ ଠେଙ୍ଗାରେ ଗୋଡାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।