କନକ ବ୍ୟୁରୋ:ଇସ୍ପାତ ନଗରୀ ରାଉରକେଲା । ଚାରିଆଡେ ସହରର ଚମକ । ୟା ଭିତରେ ଅନ୍ଧାରୀ ମୁଲକ ବସ୍ତି ଇଲାକା । ଯେଉଁଠି ମୁଣ୍ଡ ଗୁଞ୍ଜିଛନ୍ତି ହଜାର ହଜାର ଲୋକ । ଅଭାବ ଅସୁବିଧା ଭିତରେ ଦେଖୁଛନ୍ତି ନିଜର ଆଉ ନିଜ ପିଲାମାନଙ୍କ ଭବିଷ୍ୟତର ସ୍ୱପ୍ନ । ଆଉ ଏହି ସ୍ୱପ୍ନକୁ ସାକାର କରିବାକୁ ଆଗେଇ ଆସିଛନ୍ତି ଏଠିକାର କିଛି ଶିକ୍ଷିତ ଯୁବକ ଯୁବତୀ । ବସ୍ତିର ଗରୀବ ପିଲାଙ୍କ ପାଇଁ ଗଢିଛନ୍ତି ନିଆରା ଚାଟଶାଳୀ
ଆମେ କହୁଛୁ ରାଉରକେଲା ଇସ୍ପାତ ସହର ମଝିରେ ଥିବା ସେକ୍ଟର ୨୦ ସ୍ଥିତ ନେହେରୁପାଲି ବସ୍ତିର କଥା, ଯେଉଁଠି ଗଢିଉଠିଛି ‘ନିଳ ରଙ୍ଗର ପଲିଥିନ ଘେରା ‘ବସ୍ତି ଚାଟଶାଳୀ’ । ଏଠାକୁ ପଢିବାକୁ ଆସୁଛନ୍ତି ୩ଟି ବସ୍ତିର ପାଖାପାଖି ୫୦ରୁ ଅଧିକ ପିଲା । କରୋନା ମହାମାରୀ ସମୟରେ ଯେତେବେଳେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଥିଲା, ଛୋଟଠାରୁ ବଡ ସବୁ ପିଲା ଯେପରି ଅସହାୟ ପାଲଟିଗଲେ । ଆଉ ଏପରି ସ୍ଥଳେ ବସ୍ତି ପିଲାଙ୍କ କଥା ନକହିବା ଭଲ । କରୋନା ଯୋଗୁଁ ବାପା, ମା’ଙ୍କ କାମ ଚାଲିଯାଇଥିବାରୁ ଘରେ ଦି ଓଳି ଭଲକରି ଖାଇବା ଯୋଗାଡ କରିବା ଯେଉଁଠି କଷ୍ଟକର ହୋଇପଡୁଥିଲା, ସେଠି ପାଠ କଥା ପଚାରେ କିଏ?
ଟ୍ୟୁସନଟିଏ ଯୋଗାଡ କରିବାକୁ ଅଭିଭାବକଙ୍କ ପାଇଁ ଅସମ୍ଭବ ଥିଲା । ହେଲେ ଏତିକିବେଳେ ଏମାନଙ୍କ ପାଇଁ ଦେବଦୂତ ସାଜି ଆସିଲେ ନେହେରୁପାଲି ବସ୍ତିର ଏହି ୪ ଶିକ୍ଷିତ ଯୁବକ ଯୁବତୀକରମ ସିଂ, କଲ୍ୟାଣୀ ବାଗ୍, ରୂପାଲି ବାଗ୍ ଓ ମହଶ ନାଗ୍ । ଘରୁ ବସ୍ତି ପିଲାଙ୍କୁ ଡାକିଆଣି ମାଗଣାରେ ପାଠ ପଢାଇଲେ । ସେହିଦିନଠାରୁ ଚାଲିଛି ଏହି ବସ୍ତି ଚାଟଶାଳୀ ।
ଯେଉଁ ପିଲାମାନେ ଖେଳକୁଦରେ ମଜି ରହୁଥିଲେ ସେମାନେ ଏବେ ଏହି ଚାଟଶାଳୀକୁ ଆସି ବେଶ୍ ଖୁସି । ବିଦ୍ୟାଳୟ ନଗଲେ ବି ପଢାରେ ବେଶ ଆଗୁଆ ହୋଇଯାଇଛନ୍ତି । ମାତ୍ର ୨୦ /୨୫ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚାଟଶଳୀକୁ ଏବେ ପ୍ରଥମ ଠାରୁ ୧୦ମ ଶ୍ରେଣୀ ୫୦ରୁ ଅଧିକ ପିଲା ଆସୁଛନ୍ତି । ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିପାରିଥିବା ଏହି ଚାଟଶଳୀକୁ ନେଇ ବେଶ୍ ଖୁସି ବସ୍ତିରେ ରହୁଥିବା ଅଭାବୀ ଅଭିଭାବକ ।
ଆଜି ଯୁବ ସମାଜ ନୈତିକତା ଓ ଦାୟିତ୍ୱବୋଧରୁ ଦୂରେଇଯାଉଥିବାବେଳେ ନେହେରୁପାଲି ବସ୍ତିର ଏହି ୪ଜଣ ଯୁବକଯୁବତୀ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।