ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁରୁତ୍ୱପୁର୍ଣ୍ଣ ପ୍ରତିରକ୍ଷା ସଂକ୍ରାନ୍ତିୟ ତଥ୍ୟ ଲିକ୍ : ହନିଟ୍ରାପରେ ଫସିଥିଲେ କର୍ମଚାରୀ

ପାକିସ୍ତାନର ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ଗିରଫ ୪ ଠିକା କର୍ମଚାରୀ

149

କନକ ବ୍ୟୁରୋ : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହା ପଛରେ ହନି ଟ୍ରାପର ଲିକ୍ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍ । ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ । କଲ ରେକର୍ଡରେ ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି । ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଏପରିକି ମହିଳାଙ୍କ ସହ ଅଭିଯୁକ୍ତଙ୍କର ଟଙ୍କା ଦେଣନେଣ ହୋଇଥିବା ସୂଚନା ମିଳିଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟର ତଥ୍ୟ ପାଇବା ଲାଗି ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ଗିରଫ ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଯୁବତୀଙ୍କ ସହ ଟଙ୍କା ବଢାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ ।

ଗିରଫ ଅଭିଯୁକ୍ତମାନେ ହେଲେ; ଚାନ୍ଦିପୁର ଥାନା ଝାମ୍ପରାହାଟ ଅଞ୍ଚଳର ବସନ୍ତ ବେହେରା, ଟୁଲୁ ଓରଫ ପ୍ରକାଶ ବେରା, ସେକ୍ ମୁସାକ୍‌ । ଅନ୍ୟଜଣଙ୍କର ନାମ ଜଣାପଡ଼ିନାହିଁ । ଅଭିଯୁକ୍ତ ବସନ୍ତ ବେହେରା ଆଇଟିଆର୍‌ ୩ ନମ୍ବର ଲଞ୍ଚପ୍ୟାଡ୍, ଯେଉଁଠି ଡିଆର୍‌ଡିଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥା‌ଏ ସେଠାରେ ଏସି ଅପରେଟର ଭାବେ କାମ କରୁଥିଲେ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସୁଥିବାବେଳେ ସେ ମଧ୍ୟ ବାହାର ରାଷ୍ଟ୍ରକୁ କଲ୍ କରୁଥିବା ଗୁଇନ୍ଦା ଟ୍ରାକିଂରୁ ଜଣାପଡ଼ିଛି । ବସନ୍ତଙ୍କ ସହ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଅନ୍ୟ ୩ ଜଣ ମଧ୍ୟ ବିଭିନ୍ନ ସମୟରେ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ବାହାର ଦେଶକୁ ଲିକ୍‌ କରୁଥିଲେ । ଏହି ୪ ଜଣଙ୍କ ପାଖକୁ ଭାରତ-ପାକ୍‌ ସୀମା ରାଜସ୍ଥାନ ନିକଟରୁ ବାରମ୍ବାର ଅନ୍ତର୍ଜାତୀୟ କଲ୍ ଆସିବା ଏବଂ ସେମାନେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଫୋନ୍ ମାଧ୍ୟମରେ ପ୍ରଦାନ କରୁଥିବାର ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତଥ୍ୟପ୍ରମାଣ ପାଇବା ପରେ ଓଡ଼ିଶା ପୁଲିସ ଡିଜିଙ୍କୁ ଅବଗତ କରାଯାଇଥିଲା ।

ଅଭିଯୁକ୍ତଙ୍କୁ ଧରିବା ଲାଗି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସ୍‌ପିଙ୍କ ନେତୃତ୍ୱରେ ୬ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏଥିରେ ୬ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ। ପ୍ରାୟ ତିନି ଦିନ ଧରି ସାଦା ପୋଷାକରେ ଏହି ଅଧିକାରୀମାନେ ୪ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପରେ ଗତକାଲି ରାତିରେ ଫୋର୍ସ ସହାୟତାରେ ସମସ୍ତଙ୍କୁ ଘରୁ ଉଠାଇ ନେଇଥିଲେ। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ କାର୍ଯ୍ୟକଳାପକୁ ପୁଲିସ ଯାଞ୍ଚ ପରିସରଭୁକ୍ତ କରିଥିବା ଜଣାପଡ଼ିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଚଢ଼ଉ ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ପୁଲିସକୁ ବିରୋଧ କରିବା ସହ ଏହାର କାରଣ ଜାଣିବାକୁ ଚାହିଁଥିଲେ। ଜବାବରେ ପୁଲିସ କହିଥିଲା, ଦେଶ‌ରେ ରହି ଦେଶ ବିରୋଧରେ କାମ କରୁଛ । କାହିଁକି ନେଉଛୁ, କାଲି ଜାଣିଯିବ । ପୂର୍ବରୁ ପାକିସ୍ତ‌ାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ସେ ଏବେ ଆଜୀବନ ସଜ୍ଜା କାଟୁଛନ୍ତି।