କନକ ବ୍ୟୁରୋ: ଦଶହରାରେ ପଡୋଶୀ ଛତିଶଗଡରେ ବଡ ଦୁର୍ଘଟଣା । ଉତରପ୍ରଦେଶର ଲଖିମପୁର ଖେରୀ ଭଳି ଆଉ ଏକ ଘଟଣା ଘଟିଛି ଛତିଶଗଡ ଜଶପୁରରେ । ମାଆ ଦୁର୍ଗା ବିସର୍ଜନ ପାଇଁ ଚାଲିଥିବା ଏକ ଶୋଭାଯାତ୍ରା ଉପରେ ଏକ କାର ମାଡିଯାଇଛି । ରାସ୍ତାରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଚଢିଯାଇଥିଲା କାର । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି କୁହାଯାଇଛି ।
ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତ ବବଲୁ ବିଶ୍ୱକର୍ମା ଓ ଶିଶୁପାଳ ସାହୁ ନାମକ ଦୁଇ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଉଭୟ ଅଭିଯୁକ୍ତ ମଧ୍ୟପ୍ରଦେଶ ସିଙ୍ଗ୍ରୋଲି ଜିଲ୍ଲାର ବୋଲି ଜଣାପଡିଛି । ଘଟଣା ଘଟାଇ ଉଭୟ ଅଭିଯୁକ୍ତ ଗାଡି ଛାଡି ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଗିରଫ କରିଛି ପୋଲିସ । ଛତିଶଗଡ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ କରି କହିଛନ୍ତି, ଘଟଣାଟି ଅତ୍ୟନ୍ତ ଦୁଖଃଦାୟକ ଏବଂ ହୃଦୟ ବିଦାରକ । ତେବେ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଛି । ଏବଂ ଏହି ଘଟଣାରେ କାହାକୁ ଛଡାଯିବନାହିଁ ବୋଲ କହିଛନ୍ତି । ଗାଡିରେ ଗଂଜେଇ କିମ୍ବା କୌଣସି ମାଦକଦ୍ରବ୍ୟ ଥିବା ନେଇ ପ୍ରାଥମିକ ସୂଚନା ମିଳୁଛି । ତେଣୁ ସନ୍ଦେହ କରାଯାଉଛି ଏହି ଗାଡିକୁ ପୋଲିସ ପିଛା କରୁଥିଲା, ଏବଂ ଏଭଳି ପରିସ୍ଥିତିରେ ଡ୍ରାଇଭର ଜଣକ ଭିଡ ଉପରେ ଗାଡି ଚଢାଇ ଦେଇଥିଲେ ।