କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବିପଦ ଆଣୁଛି ବଜ୍ରପାତ। ଭିନ୍ନଭିନ୍ନ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲାରେ ବିପତି ଆଣିଛି ବଜ୍ରପାତ।ହରିଚନ୍ଦପୁରରେ ଜଣେ ନାବାଳକଙ୍କ ମୃତ୍ୟୃ ହୋଇଛି । ସେପଟେ ତେଲକୋଇରେ କାଳିଆହତାରେ ବଜ୍ରପାତରେ ଗୋଟିଏ ପରିବାରର ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ୮ଟି ଗୋରୁ ମୃତ। ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ଯୋଗୁଁ ଘରେ ଥିବା ବେଳେ ବାଦବିଲ ଗ୍ରାମର କେତକୀ ମହାନ୍ତ, ତ୍ରିବେଣୀ ମହାନ୍ତ ଓ ସମ୍ପର୍କୀୟ ଅନୀତା ମହାନ୍ତ ଆହତ ହୋଇଛନ୍ତି। ଗୋରୁ ଗୁଡ଼ିକ ଚରୁଥିବା ବେଳେ ବଜ୍ରପାତ ହୋଇଛି ।

Advertisment

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଶିଙ୍ଗରପୁର ଗାଁରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ଦ୍ୱାରା ସ୍ୱାମୀ,ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ମନେ ହେଲେ ଶିଙ୍ଗରପୁର ଗାଁର ୪୬ବର୍ଷୀୟ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଭଦ୍ରକରେ ବି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗରପଡ଼ା ଥାନା ଅନ୍ତର୍ଗତ ସାହୁପଡ଼ା ଗାଁର ୨୯ବର୍ଷୀୟ ଅମର ସେଠୀ ଜମିରେ ଚାଷ କରୁଥିବା ବେଳେ ବଜ୍ରାଘାତ ହୋଇଛି। ସେହିପରି ଗାଁର ତାରିଣୀ ମନ୍ଦିର ନିକଟରେ ଚାଷ କରୁଥିବା ବେଳେ ୫୮ବର୍ଷୀୟ ଚକ୍ରଧର ଦାସ ମଧ୍ୟ ବଜ୍ରାଘାତର ଶିକାର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି ।