ପୋଲିସ ପଞ୍ଚାରେ ସାଇବର ଲୁଟେରା ଗ୍ୟାଙ୍ଗ : ବ୍ୟାଙ୍କ ମ୍ୟାନେଜର ସମେତ ୪ ଗିରଫ

446

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ସାଇବର ଲୁଟେରା ଗ୍ୟାଙ୍ଗ । ଲୋଭନୀୟ ସ୍କିମ୍ ଦେଖାଇ ଫସାଇବା ପରେ ବିଟ୍ କଏନ ଜରିଆରେ କରୁଥିଲେ ଲୁଟ୍ । ହ୍ୱାଟସ୍ ଆପ୍ରେ ଲିଙ୍କ୍ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ । କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତାଉ ଥିଲେ । ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି ।

ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ୫ଟି ବ୍ୟାଙ୍କ୍ ପାସବୁର, ୧୦ଟି ଏଟିଏମ୍ କାର୍ଡ, ଗୋଟିଏ ଲାପଟପ, ୪ଟି ମୋବାଇଲ୍, ୭ଟି ଚେକ୍ ଏବଂ ଗୋଟିଏ ସିମ୍ ଜବତ କରାଯାଇଛି । ୨୦୨୨ ମସିହାରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ପ୍ରମୋଦ ସାହୁଙ୍କ ହ୍ୱାଟସ୍ଆପକୁ ଏକ ଅଜଣା ନମ୍ବରରୁ ଲିଙ୍କ୍ ଆସିଥିଲା । ଘରେ ବସି କେମିତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ସେନେଇ ଲିଙ୍କରେ ପ୍ରଦର୍ଶିତ ହୋଇଥିଲା । ପରେ ଲୋଭର ଶିକାର ହୋଇ ପ୍ରମୋଦ ଭଲ ରିଟର୍ଣ୍ଣ ପାଇବା ଆଶାରେ ବିଟ୍ କଏନରେ ୫ଲକ୍ଷ ଟଙ୍କା ନିବେଶ କରିଥିଲେ । କିଛିଦିନ ପରେ ସାଇବର ଲୁଟେରା ତାଙ୍କୁ ଏକ ସ୍କ୍ରିନ୍ ସଟ୍ ପଠାଇଥିଲେ । ୫ଲକ୍ଷ ଟଙ୍କା ବଢ଼ି ୧୦ଲକ୍ଷ ଟଙ୍କା ହୋଇଯାଇଛି ବୋଲି ସେଥିରେ ଉଲ୍ଲେଖ ଥିଲା ।

ପ୍ରମୋଦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବିଭିନ୍ନ ଆଳ ଦେଖାଇ ସାଇବର ଲୁଟେରା ତାଙ୍କଠାରୁ ୧୪ଲକ୍ଷ ଟଙ୍କା ନେଇଯାଇଥିଲେ । ଠକେଇର ଶିକାର ହେବା ଜାଣିବା ପରେ ପ୍ରମୋଦ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସର ଏକ ଟିମ୍ ବାଲେଶ୍ୱର ଓ ଭଦ୍ରକରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠକମାନେ ଯେଉଁ ସବୁ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରମୋଦଙ୍କଠାରୁ ଟଙ୍କା ନେଇଥିଲେ ପୁଲିସ ତାର ଖୋଳତାଡ଼ କରି ଏହି ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।