ଆସିଲା ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ: ପୁରୁଣା ସଂକ୍ରମିତଙ୍କ ପଡୋଶୀ ଥିଲେ ନାଲା ରୋଡର ଆକ୍ରାନ୍ତ; ବାହାରେ କ୍ରିକେଟ୍ ଖେଳିଥିଲେ ପିଲା, ନିୟମିତ ବ୍ୟାଙ୍କ ଯାଇଥିଲେ ଆକ୍ରାନ୍ତଙ୍କ ସ୍ୱାମୀ

ସୁନ୍ଦରଗଡରୁ ଫେରିଥିଲେ ଝାରୁସୁଗୁଡାର ୪୦ ବର୍ଷିୟା ମହିଳା: କୋଲକାତା ଫେରିବା ପରେ କେନ୍ଦୁଝର ଆକ୍ରାନ୍ତ ଯାଇଥିଲେ ହସପିଟାଲ

680

କନକ ବ୍ୟୁରୋ: ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । କେସ୍ ନଂ ୧୬୦, ୧୬୧, ୧୬୨ ଓ ୧୬୩ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ବେଳେ ୨ଜଣ ପୁରୁଷ ରହିଛନ୍ତି । ଦୁଇଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ଝାରସୁଗୁଡ଼ା ଅନ୍ୟ ଜଣେ ରାଉରକେଲାର । ୧୬୦ ନମ୍ବର ଆକ୍ରାନ୍ତ ଝାରସୁଗୁଡ଼ା ଲଖନପୁରର ୪୦ବର୍ଷିୟ ମହିଳା । ୧୬୧ ନମ୍ବର ଆକ୍ରାନ୍ତ ବାଲେଶ୍ୱର ଖଇରାର ୩୪ ବର୍ଷିୟ ପୁରୁଷ । ସେହିପରି ୧୬୨ ନମ୍ବର ଆକ୍ରାନ୍ତ କେନ୍ଦୁଝର ହାଟଡ଼ିହିର ୩୦ବର୍ଷିୟ ପୁରୁଷ । ଏବଂ ୧୬୩ ନମ୍ବର ଆକ୍ରାନ୍ତ ରାଉରକେଲା ନାଲା ରୋଡ଼ର ୨୯ ବର୍ଷିୟ ମହିଳା ।

୧୬୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

୧୬୦ ନମ୍ବର କରୋନା ଆକ୍ରାନ୍ତ ହେଲେ ଝାରସୁଗୁଡାର ଲଖନପୁର ଅଂଚଳର ଜଣେ ୪୦ ବର୍ଷୀୟା ମହିଳା । ସେ ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ନିଜ ଘରେ ରହିଥିଲେ । ଏହାପରେ ୨୧ରୁ ୨୪ ତାରିଖ ମଧ୍ୟରେ ସେ ବନ୍ଧପାଲିକୁ ସଂପର୍କିୟାଙ୍କ ବାଇକରେ ବସି ଯାଇଥିଲେ ଏବଂ ସେହି ଦିନ ସେ ଡିଏଚଏଚକୁ ମଧ୍ୟ ଯାଇଥିଲେ । ଏହାପରେ ସେ ୨ ଦିନ କାଳ ବନ୍ଧପାଲିରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ରହିଥିଲେ । ଏହାପରେ ସେ ଘରକୁ ଆସି ସଂଗରୋଧରେ ରହିଥିଲେ । ୩ ମେ’ ରେ ତାଙ୍କର ସାମ୍ପୁଲ ଟେଷ୍ଟରେ କରୋନା ପଜିଟିଭ ବାହାରିଥିଲା ଏବଂ ୪ ମେ’ରେ ତାଙ୍କୁ ଝାରସୁଗୁଡାସ୍ଥିତ କୋଭିଡ ହସପିଟାଲରେ ଭର୍ତି କରାଯାଇଛି ।

୧୬୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

୧୬୧ ନମ୍ବର ଆକ୍ରାନ୍ତ ଜଣକ ଜଣେ ୩୪ ବର୍ଷର ଯୁବକ ଏବଂ ସେ ବାଲେଶ୍ୱର ଜିଲ୍ଲାର ଖଇରା ଅଂଚଳର ବୋଲି ସ୍ପଷ୍ଟ କରିଛନ୍ତି ସରକାର । ଏବଂ ସେ କଲିକତା ଫେରନ୍ତା ବୋଲି ଜଣାପଡିଛି । ୨୦ ଏପ୍ରିଲ ଯୁବକ ଜଣକ କଲିକତାରୁ ଏକ ଟ୍ରକ ଯୋଗେ ବାଲେଶ୍ୱରରେ ପହଂଚିଥିଲେ ଏବଂ ଏହାପରେ ସେ ଚାଲି ଚାଲି ବାହାଙ୍ଗା ଯାଇଥିଲେ । ଏଠାରୁ ସେ ଏକ ବାଇକରେ ସୋରୋ ଯାଇଥିଲେ ଏବଂ ଏଠାରେ ସେ ରାଟିନା ଚାଲି ଚାଲି ଯାଇଥିଲେ । ଏହାପରେ ୨୧ ଏପ୍ରିଲରୁ ୩ ମେ ଯାଏଁ ସରକାରଙ୍କ ଦ୍ୱାରା ପରିଚାଲିତ କ୍ୱାରେଂଟିନ ସେଂଟରରେ ରହିଥିଲେ । ମେ ୩ ତାରିଖରେ ତାଙ୍କର କରୋନା ପଜିଟିଭ ବାହାରିଥିଲା ଏବଂ ତାଙ୍କ କଟକସ୍ଥିତ ଅଶ୍ୱିନି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୧୬୨ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

୧୬୨ ନମ୍ବର ଆକ୍ରାନ୍ତ କେନ୍ଦୁଝର ହାଟଡ଼ିହିର ୩୦ବର୍ଷିୟ ପୁରୁଷ । ସେ ମଧ୍ୟ ଜଣେ କଲିକତା ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ସରକାର । ତେବେ ୨୬ରୁ ୨୭ ମାର୍ଚ୍ଚ ମଧ୍ୟରେ ସେ ଏକ ଟ୍ରକରେ କଲିକତାରୁ ଆସି ଭଦ୍ରକରେ ପହଂଚିଥିଲେ । ଏଠାରୁ ସେ ଆନନ୍ଦପୁର ଭାୟା ମୋରେଇଗାଁ, ଛେନାପଡିକୁ ବାଇକ୍ ଏବଂ ଚାଲି ଚାଲି ଯାଇଥିଲେ । ଏହାପରେ ୨୭ ମାର୍ଚ୍ଚରେ ସେ ଆନନ୍ଦପୁର ଯାଇଥିଲେ । ୨୭ ମାର୍ଚ୍ଚରୁ ମେ ୩ ତାରିଖ ଯାଏ ଘରେ ରହିଥିଲେ । ଏହାପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା । ତାଙ୍କୁ ଅଶ୍ୱିନ କୋଭିଡ ହସ୍ପିଟାଲରେ ରଖାଯାଇଛି ।

୧୬୩ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

୧୬୩ ନମ୍ବର ଆକ୍ରାନ୍ତ ରାଉରକେଲା ନାଲା ରୋଡ଼ର ୨୯ ବର୍ଷିୟ ମହିଳା । ସେ ପୁରୁଣ ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ସଂକ୍ରମିତ ମହିଳା ଜଣକ ନିଜ ଘରେ ରହିଥିଲେ ସତ ହେଲେ ତାଙ୍କ ପିଲା ବାରମ୍ବାର ବାହାରକୁ କ୍ରିକେଟ୍ ଖେଳିବାକୁ ବାହାରକୁ ଯାଉଥିଲେ ଏବଂ ତାଙ୍କ ସ୍ୱାମୀ ରେଗୁଲାର ବ୍ୟାଙ୍କ ଯାଇଥିଲେ । ତେବେ ସର୍ଭିଲାନ୍ସ ଜୋନରେ ଆସୁଥିବାରୁ ତାଙ୍କର କରୋନା ଟେଷ୍ଟିଂ କରାଯାଇଥିଲା ଏବଂ ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲା । ଏବେ ତାଙ୍କୁ ରାଉରକେଲା ସ୍ଥିତ ହାଇ-ଟେକ୍ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।