ବଢ଼ୁଛି କର୍ଣ୍ଣାଟକ ସସପେନ୍ସ ! କଂଗ୍ରେସର ୪ ବିଧାୟକ ନିଖୋଜ, ଖୋଜିବା ପାଇଁ ହେଲିକପ୍ଟର ପଠାଇଲା ଦଳ

43

କର୍ଣ୍ଣାଟକ କାହାର । କିଏ ଗଢ଼ିବା କର୍ଣ୍ଣାଟକରେ ସରକାର । ଏଭଳି ଅନେକ ଉତ୍ତର ଏବେ ଆସିବାକୁ ବାକି ଅଛି କିନ୍ତୁ ସରକାର ଗଢ଼ିବା ପାଇଁ କର୍ଣ୍ଣାଟକରେ ଛକାପଞ୍ଝା ଭିତରେ ସମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସୂଚନା ମୁତାବିକ କଂଗ୍ରେସର ୪ ବିଧାୟକ ଏବେ ନିଖୋଜ ଅଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିଖୋଜ ୪ ବିଧାୟକଙ୍କୁ ଖୋଜିବା ପାଇଁ ହେଲିକପ୍ଟର ପଠାଯାଇଛି । ଗତକାଲିର ଫଳାଫଳ ପରେ ବିଜେପି ୧୦୪ ଆସନ ଅଧିକାର କରିଥିବାବେଳେ କଂଗ୍ରେସ ୭୮ ଓ ଜେଡିଏସ ୩୭ ସିଟ୍ ଅକ୍ତିଆର କରିଛି । କିନ୍ତୁ ବିଜେପିକୁ ମ୍ୟାଜିକ ନମ୍ବର ନ ମିଳିବାରୁ କଂଗ୍ରେସ ସରକାର ଗଠନ କରିବା ପାଇଁ ସବୁ ବଳ ଲଗାଇଦେଇଛି । ଖାସ ଏଥିପାଇଁ ଜେଡ଼ିଏସକୁ ସାଥୀ କରି କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଆପ୍ରାଣ ଉଦ୍ୟମ କରୁଛି କଂଗ୍ରେସ ।

ଆଉ ଏଭଳି ସ୍ଥିତିରେ ହଠାତ୍ କଂଗ୍ରେସ ଶିବିରରୁ ଖବର ମିଳିଛିଯେ, ନବ ନର୍ବିାଚିତ ୪ ବିଧାୟକ ବର୍ତ୍ତମାନ ଦଳର ସମ୍ପର୍କରେ ନାହାଁନ୍ତି । ଏହି ନିଖୋଜ ବିଧାୟକଙ୍କୁ ଖୋଜିବା ପାଇଁ ଦଳ ବିଦର ଓ କଳବୁର୍ଗୀ ଅଞ୍ଚଳକୁ ହେଲିକପ୍ଟର ପଠାଇଛି । ଏହାଛଡ଼ା ନିଜ ବିଧାୟକ ମାନଙ୍କୁ ସରକାର ଗଠନ ପର୍ଯ୍ୟନ୍ତ ଏକାଠି ରଖିବା ପାଇଁ କଂଗ୍ରେସ ଇଗ୍ଲଟନ ରିସୋର୍ଟରେ ୧୨୦ଟି ରୁମ୍ ବୁକ କରିଛି । ସରକାର ଗଠନ ହେବା ପର୍ଯ୍ୟନ୍ତ କଂଗ୍ରେସର ସମସ୍ତ ବିଧାୟକ ଏହି ରିସୋର୍ଟରେ ରହିବେ । ଯାହାଦ୍ୱାରା ବିଜେପିକୁ ଏହି ବିଧାୟକଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ନେଇ ପାରିବ ନାହିଁ ।

ଏସବୁ ଭିତରେ ଆଉ ଏକ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ସରକାର ଗଢ଼ିବା ପାଇଁ ବିଜେପି କଂଗ୍ରେସ ବିଧାୟକମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛି ଦଳ । ବରିଷ୍ଠ କଂଗ୍ରେସନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ବିଜେପି ସରକାର ଗଢ଼ିବା ପାଇଁ ଅନେକ ପ୍ରକାର ପ୍ରୟାସ ଚଳାଇଛି । କଂଗ୍ରେସ ଓ ଜେଡିଏସ ସରକାର ଗଢ଼ିବା ପାଇଁ ମେଣ୍ଟ କରିଥିବା ସ୍ପଷ୍ଟ ହେବାପରେ ବିଜେପି ଅର୍ଥବଳ ବାହୁବଳ ଲଗାଇ ନିଜ କ୍ଷମତାକୁ ବିସ୍ତାର କରିବା ପାଇଁ ଚାହୁଁଛି । ସେଥିପାଇଁ ବିଜେପି କଂଗ୍ରେସର ବିଭିନ୍ନ ବିଧାୟକମାନଙ୍କୁ ଧମକାଉଛି ।

ବର୍ତ୍ତମାନ କଂଗ୍ରେସର ୭୮ବିଧାୟକ ଓ ଜେଡିଏସ ୩୭ ବିଧାୟକଙ୍କ ସହିତ ସହିତ ବୈଠକ କରିବାକୁ ଯାଉଥିବା ବେଳେ ହଠାତ୍ ଏଭଳି ୪ବିଧାୟଙ୍କ ପତ୍ତା ନ ମିଳିବା କଂଗ୍ରେସ କ୍ୟାମ୍ପରେ ହଟଚମଟ ସୃଷ୍ଟି କରିଛି । ଏହାଛଡ଼ା କଂଗ୍ରେସର ମୋଟ ୭୮ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ବିଧାୟକ ବୈଠକରେ ସାମିଲ ହୋଇଛନ୍ତି ।

ସରକାର ଗଠନର ଛକାପଞ୍ଝା ଭିତରେ ଗୁଲାମ ନବୀ ଆଜାଦ କହିଛନ୍ତି ରାଜ୍ୟପାଳ ସମ୍ବାଧାନିକ ଦୃଷ୍ଟିରୁ ଯଦି କଂଗ୍ରେସ ଓ ଜେଡିଏସକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରିତ ନ କରନ୍ତି ତେବେ କର୍ଣ୍ଣାଟକରେ ରକ୍ତର ସଘର୍ଷ ହେବ । କଂଗ୍ରେସ ଦଳରେ କେହି ଅସନ୍ତୁଷ୍ଟ ନାହାଁନ୍ତି ବରଂ ବିଜେପି ଶିବିରରେ ସରକାର ଗଢ଼ି ନ ପାରିବାର ଡର ଆସିଲାଣି ବୋଲି ଗୁଲାମନବୀ କହିଛନ୍ତି ।