କନକ ବ୍ୟୁରୋ : ଦେଶର ୮୮ଟି ପ୍ରଦ୍ୟୁଷିତ ସହର ତାଲିକାରେ ରହିଛି ପାରଦୀପ ସମେତ ଓଡିଶାର ୪ଟି ସହର । ଶିଳ୍ପାନୁଷ୍ଠାନରୁ ବାହାରୁଥିବା ମାତ୍ରାଧିକ ଧୂଳି, ଧୁଆଁ ଯୋଗୁଁ ପ୍ରଦୂଷିତ ହେଉଛି ସହର । ସେପଟେ ପ୍ରଦୂଷଣ ରୋକିବାରେ ସହାୟକ ହେଉଥିବା ବେଳାଭୂମିର ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣ ଧିରେ ଧିରେ ନଷ୍ଟ ହେଉଛି । ଜଗତସିଂହପୁର ଜିଲ୍ଲାର ୫୮ କିଲୋମିଟର ବେଳାଭୂମିରେ ଥିବା ବିସ୍ତିର୍ଣ୍ଣ ହେନ୍ତାଳ ବନ ଲୋପ ପାଇ ଯାଇଛି । ଅସାଧୁ କାଠ ମାଫିଆଙ୍କ ଯୋଗୁଁ ବେଳାଭୂମି ଝାଉଁ ଜଙ୍ଗଲ ବି ହଜିଯିବାକୁ ବସିଲାଣି ।

Advertisment

ସେପଟେ ପାରାଦୀପରେ ଥିବା ୧୫ଟି ପ୍ରମୁଖ ଶିଳ୍ପ କାରଖାନାରୁ ନିର୍ଗତ ଧୂଳି ଧୂଆଁରେ ସହର ପ୍ରଦୂଷିତ ହେଉଛି । କିନ୍ତୁ ଦୁଃଖର ବିଷୟ ହାତ ଗଣତି କିଛି ଶିଳ୍ପାଷ୍ଠାନକୁ ଛାଡିଦେଲେ ଅଧିକାଂଶ ଶିଳ୍ପସଂସ୍ଥା ଆବଶ୍ୟକ ପରିମାଣର ବୃକ୍ଷ ରୋପଣ କରୁନାହାନ୍ତି । ଶିଳ୍ପ ସଂସ୍ଥା ଗୁଡିକ ନିଜ ପରିଧିର ୩୩ ପ୍ରତିଶତ ଜମିରେ ବୃକ୍ଷ ରୋପଣ କରିବା କଥା, ହେଲେ କିଛି ସୌଖୁନୀ ଗଛ ଲଗାଇ କାମ ସାରି ଦେଉଛନ୍ତି କମ୍ପାନୀ କର୍ତୃପକ୍ଷ । ପାରାଦୀପରେ ପ୍ରଦୂଷଣ ପାଇଁ ଧୂଳି ସତ୍ୟାଗ୍ରହ ଠାରୁ ଆରମ୍ଭ କରି ଆନ୍ଦୋଳନ ମଧ୍ୟ ହେଉଛି । ତଥାପି ବିଭାଗୀୟ କର୍ତ୍ତୁପକ୍ଷ କି କାରଖାନା କର୍ତ୍ତୁପକ୍ଷଙ୍କ ନିଘା ନଥିବା ଅଭିଯୋଗ ହୋଇଛି ।

ତେବେ ବନ୍ଦର ନଗରୀକୁ ପ୍ରଦୂଷଣରୁ ରକ୍ଷା କରିବାକୁ ହେଲେ ବନ ସପ୍ତାହକୁ ସଠିକ୍ ଢଙ୍ଗରେ ପାଳନ କରିବାକୁ ପଡିବ । କଳକାରଖାନା ଗୁଡିକ ସେମାନଙ୍କ ଦାୟିତ୍ୱ ତୁଲାଇବା ନିହାତି ଆବଶ୍ୟକ । ଜଙ୍ଗଲ ସୃଷ୍ଟି କରିବା ପାଇଁ ଗଛ ଲଗାଇବା ସହ ସେଗୁଡିକର ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡିଛି ।