କନକ ବ୍ୟୁରୋ: ଉତ୍ତରପ୍ରଦେଶ କୁଶିନଗରରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଚକୋଲେଟ୍ ଖାଇ ଦୁଇଟି ପରିବାରର ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।
ଉକ୍ତ ପରିବାରର କହିବା ଅନୁଯାୟୀ, କେହି ଜଣେ ସେମାନଙ୍କ ଘର ବାହାରେ ଚକୋଲେଟ୍ ଓ କିଛି ଟଙ୍କା ପକାଇଦେଇଥିଲେ । ଜଣେ ପିଲା ଚକୋଲେଟ୍ ଗୁଡିକୁ ପାଇ ଅନ୍ୟ ୩ଜଣଙ୍କ ମଧ୍ୟରେ ବାଣ୍ଟିବା ସହ ମିଳିମିଶି ଖାଇଥିଲେ । କିଛି ସମୟ ପରେ ୪ଜଣ ଶିଶୁ ଅସୁସ୍ଥ ହୋଇପଡିଥିଲେ । ଫଳରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଏଭଳି ଅମାନୁଷିକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ବିଷାକ୍ତ ଚକୋଲେଟ୍ ପକାଇଥିବା ବ୍ୟକ୍ତିଙ୍କୁୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
ଉତ୍ତରପ୍ରଦେଶର କାମଚଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଉକ୍ତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ କହିଛନ୍ତି । ଘଟଣା ପଛରେ ଗୁଣିଗାରେଡି ସମ୍ପୃକ୍ତ ଥିବା ସନ୍ଦେହ କରୁରାଯାଉଛି ବୋଲି କହିଛନ୍ତି କୁଶିନଗର ଏସପି ।