ଖେଳ ସାଜିଲା କାଳ..ନିଆଁରେ ଜଳି ଆଖିବୁଜିଲେ ୩ ଶିଶୁ । ଜାଣନ୍ତୁ କେମିତି ଲାଗିଲା ପାଳଗଦାରେ ନିଆଁ

534

କନକ ବ୍ୟୁରୋ: ପାଳଗଦାରେ ନିଆଁ ଲାଗି ପୋଡି ଯାଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି । ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ଚାଲିଛି । ପାଳଗଦାରେ ଶିଶୁମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା । ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ ,ସକାଳ ପ୍ରାୟ ୯ଟା ବେଳେ ୭ରୁ ୮ ଜଣ ପିଲା ଗାଁରେ ଥିବା ଏକ ପାଳଗଦା ନିକଟରେ ଖେଳୁଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଛନ୍ତି । ପାଳଗଦାରେ ଖେଳୁ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା ଆଉ ଚାହୁ ଚାହୁଁ ନିଆଁଟିର ପ୍ରକୋପ ବଢିଯାଇଥିଲା । କିଏ କିଛି ବୁଝିବା ଆଗରୁ ନିଅାଁର ଆଁରେ ଛଟପଟ ହୋଇ ଆର୍ତଚିତ୍କାର କରୁଥିଲେ କୁନି କୁନି ଶିଶୁ । ତେବେ ଗାଁଲୋକଙ୍କ ଉଦ୍ୟମବଳରେ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ବାକି ପିଲାଙ୍କୁ ଉଦ୍ଧାର କରିବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡିଥିଲା । ତେବେ କୌଣସି ମତେ ପିଲାଙ୍କୁ ନିଆଁରୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାକୁ ତାଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ଏଠାରେ ଗୁରୁତର ୪ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଏବେବି ସଂକଟାପନ୍ନ ରହିଛି । ତେବେ କେଉଁ କାରଣରୁ ପାଳଗଦାରେ ଅଗ୍ନିକାଣ୍ଡ ଘଟିଛି ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କକରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆହତଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।