ଉତ୍ତରପ୍ରଦେଶ ବିଜେପିକୁ କରୋନା ଝଟକା । ୨ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି ୪ ବିଜେପି ବିଧାୟକ

298

କନକ ବ୍ୟୁରୋ : କରୋନା ଭୂତାଣୁ ନା ସେ ଗରିବ ନା ସେ ଧନୀ , କହାରିକୁ ତାର ଖାତିର ନାହିଁ । ନେତା ହେଉ କି ମନ୍ତ୍ରୀ ଅବାଧରେ ସମସ୍ତଙ୍କ ଶରୀରରେ ପ୍ରବେଶ କରିବାରେ ଲାଗିଛି । ଏହି କ୍ରମରେ କରୋନା ଭୂତାଣୁ ଏବେ ଦେଶ ତଥା ସାରା ବିଶ୍ୱର ଅନେକ ନାମିଦାମୀ ଲୋକଙ୍କର ଜୀବନ ନେଇ ସାରିଲାଣି ।

ଆଜି ଉତ୍ତରପ୍ରଦେଶ ସଲେନର ଭାରତୀୟ ଜନତା ପାର୍ଟିର ବିଧାୟକ ଦଲ ବାହାଦୁର କୋରୀଙ୍କର ମୃତ୍ୟୁ ହୋଇଛି । ଏହାସହ କରୋନାର ଦ୍ୱିତୀୟ ଲହରି ଅର୍ଥାତ ୨ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶରେ ୪ ଜଣ ବିଧାୟକ କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଷ୍ନଓ ପଶ୍ଚିମ ବିଧାୟକ ସୁରେଶ କୁମାର ଶ୍ରୀବାସ୍ତବ, ଆରିଆ ସଦର ବିଧାୟକ ରମେଶ ଚନ୍ଦ୍ର ଦିବାକର ଓ ବରେଲି ନବାବଗଂଜ ବିଧାୟକ କେସର ସିଂ । ସାଲାନା ବିଧାୟକ ବାହାଦୂରକୋରିଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାପୂର୍ବରୁ ବରେଲି ନବାବଗଂଜ ବିଜେପି ବିଧାୟକ କେସର ସିଂ କରୋନାରେ ସଂକ୍ରମିତ ହୋଇ ନୋଇଡାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ଏପ୍ରିଲ ୨୩ ତାରିଖରେ ଲକ୍ଷ୍ନଓ ପଶ୍ଚିମ ବିଧାୟକ ସୁରେଶ ଶ୍ରୀବାସ୍ତବ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ତା’ର ୨ ଦିନ ପୂର୍ବରୁ ତାଙ୍କ ପତ୍ନୀ ମାଳତୀ ଶ୍ରୀବାସ୍ତଙ୍କର ବି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।

କେବଳ ବିଜେପି ନୁହେଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ବହୁ ବରିଷ୍ଠ ନେତା ବି କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଲେଣି ।

କହିରଖୁ କି ୟୁପି ବିଧାନସଭାରେ ମୋଟ ୪୦୩ ଟି ବିଧାୟକ ପଦ ରହିଥିବା ବେଳେ ଭାରତୀୟ ଜନତା ପାର୍ଟିର ୩୦୭, ସମାଜବାଦୀ ପାର୍ଟିର ୪୯ ଓ ବହୁଜନସମାଜବାଦୀ ପାର୍ଟିର ୧୮ ବିଧାୟକ ରହିଛନ୍ତି ।