୪ ଏପ୍ରିଲ ୨୦୧୮ : କାହା ପାଇଁ ଶୁଭ ! ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲିବ । ଦକ୍ଷିଣରେ ନବୀନ ଧରାଇବେ କଂଗ୍ରେସିଆଙ୍କୁ ଶଙ୍ଖ । ପଦ୍ମ ପାଇଁ ପଶ୍ଚିମରେ ଉଦୟ ହେବେ ଅମିତ

53

କନକ ବ୍ୟୁରୋ: ଆସନ୍ତା ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଛି। କାରଣ ମିଳିଥିବା ସୂଚନା ଅନୁସାରେ, ୧୦ଜଣ ନୁହେଁ, ଏହାଠାରୁ ଯଥେଷ୍ଟ ଅଧିକ ବ୍ୟକ୍ତି ବା ଅଧିକାରୀ ଭଣ୍ଡାର ଘରକୁ ଯିବାକୁ ଯୋଜନା ହୋଇଛି ।

ପ୍ରଶାସନ ତାଲିକା ଅନୁସାରେ, ଗଜପତି ମହାରାଜ ଅଥବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଦେଉଳକରଣ ଓ ତଢ଼ଉକରଣ ରତ୍ନଭଣ୍ଡାରକୁ ପ୍ରବେଶ କରିବେ। ସେହିଭଳି ଏଏସ୍ଆଇର ୩ଜଣ, କୋର କମିଟିର ଜଣେ ଓ ହାଇକୋର୍ଟର ଜଣେ ପ୍ରତିନିଧି ଯାଞ୍ଚ ପାଇଁ ରତ୍ନଭଣ୍ଡାରକୁ ଯିବେ। ଏହି ତାଲିକାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନାଁ ନାହିଁ। ଏମାନେ କ’ଣ ଯିବେ ନାହିଁ? ଯଦି ନା, ତେବେ ରତ୍ନଭଣ୍ଡାର ସୁରକ୍ଷା ନେଇ କିଏ ଗ୍ୟାରେଣ୍ଟି ଦେବ? ଏମାନଙ୍କୁ ମିଶାଇଲେ ରତ୍ନଭଣ୍ଡାରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ ରେ ରହୁଛି?

ଅନ୍ୟପଟରେ ରତ୍ନଭଣ୍ଡାର ଖୋଲିଲେ ଅଶୁଭ ବୋଲି କେହି କେହି କହୁଛନ୍ତି । ଦୁଇ ଦିନ ତଳେ ନୀଳଚକ୍ରରୁ ଚିଲ ପତାକା ନେଇଯିବା ପରେ ଏହି ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଆସନ୍ତା ଦିନରେ ରତ୍ନଭଣ୍ଡାର ଯାଞ୍ଚରୁ ଏକ ବଡ଼ ଧରଣର ବିତର୍କ ବା ବିବାଦ ମୁଣ୍ଡ ନ ଟେକିବ, ଏହି ଆଶଙ୍କାକୁ ଏଡ଼ାଇ ହେବ ନାହିଁ, ଉଭୟ ଘଟଣା ଏଭଳି ସଙ୍କେତ ଦେଉଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୪ ତାରିଖ, ଓଡ଼ିଶା ରାଜନୀତିରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ବିବେଚନା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହିଦିନ ବ୍ରହ୍ମପୁର ଗସ୍ତରେ ଯାଉଛନ୍ତି । ନବୀନଙ୍କ ଏହି ଗସ୍ତକୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟ ଧ୍ରୁବୀକରଣର ପ୍ରଥମ ଗୋଟିଚାଳନା ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି । କାରଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି, ସ୍ଥାନୀୟ କଂଗ୍ରେସ ନେତା ଓ ବ୍ରହ୍ମପୁର ମହାନଗର ନିଗମର ନିର୍ବାଚିତ କର୍ପୋରେଟର ସମସ୍ତେ ହାତ ଛାଡ଼ି ସେଦିନ ବିଜେଡି ଶଙ୍ଖ ଫୁଙ୍କିବେ।

ଓଡ଼ିଶାରେ କଂଗ୍ରେସ ଦୁର୍ଗ ଭାଙ୍ଗୁଥିବା ପରିପ୍ରେକ୍ଷୀରେ ଏହି ଭୋଟ ବ୍ୟାଙ୍କ କୁଆଡ଼େ ଯିବ, ତାହାକୁ ନେଇ ଗତ କିଛି ଦିନ ଧରି ଅଙ୍କକଷା ଚାଲିଥିଲା। ବିଶେଷକରି ପଞ୍ଚାୟତ ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ ଥିବା ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପାଇଁ ଆହ୍ଵାନ ସୃଷ୍ଟି କରିଥିଲା। ଉଭୟ କଂଗ୍ରେସ ଭୋଟ୍ ବ୍ୟାଙ୍କକୁ ସାଙ୍ଗରେ ନେବା ଲାଗି ପ୍ରତିଯୋଗିତା ଚଳାଇଛନ୍ତି । ବିଜେପୁର ଉପନିର୍ବାଚନରେ ବିଜେଡି ଏହି ଗୋଟି ଚଳାଇ ସଫଳତା ପାଇଛି ।

ତେବେ କଂଗ୍ରେସକୁ ମୂଳପୋଛ କରି ଶକ୍ତି ବଢ଼ାଇବା କାର୍ଯ୍ୟ ବିଜେଡିକୁ ଆଗାମୀ ଦିନରେ କେତେ ସଫଳତା ଦେଉଛି, ଏ ପଦକ୍ଷେପ ଶୁଭ ନା ଅଶୁଭ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରାଜ୍ୟର ପଶ୍ଚିମରେ ପ୍ରତିଦ୍ୱନ୍ଦ୍ୱୀ ବିଜେପି ସେହିଦିନ ଅର୍ଥାତ୍ ୪ ତାରିଖରେ ତା’ର ଶକ୍ତି ପ୍ରଦର୍ଶନ କରୁଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୁଇଦିନିଆ ଗସ୍ତରେ ଆସି କଳାହାଣ୍ଡିରେ ପହଞ୍ଚି ଭବାନୀପାଟଣାରେ ସାଧାରଣ ସଭା କରିବେ। ଦଳର କର୍ମକର୍ତ୍ତାଙ୍କୁ ଟ୍ୟୁସନ ବି କରିବେ ।

ବିଜେପୁର ଉପନିର୍ବାଚନରେ ବିଫଳତାକୁ ଘୋଡ଼ାଇବା ପାଇଁ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ସଫଳତା ପାଇଥିବା ଅଞ୍ଚଳ କଳାହାଣ୍ଡି ଜିଲ୍ଲାକୁ ବିଜେପି ବାଜିରେ ଲଗାଇଛି । କେବଳ ସେତିକି ନୁହେଁ, ଶାହଙ୍କର ଏହି ଗସ୍ତ ବର୍ତ୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କାରଣ ଯଦି ଶାହ ବିଜେପିର ମଉଳି ଆସୁଥିବା ପଦ୍ମକୁ ପୁଣି ସତେଜ କରିନପାରିଲେ, ତେବେ ଏହାର ଜବରଦସ୍ତ ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ । ଅତଏବ, ଶାହଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ସଞ୍ଜୀବନୀ ସଦୃଶ ହେବ ବୋଲି ମଧ୍ୟ କେହି କେହି କହିଲେଣି। ଯଦି ୪ ତାରିଖର ଏହି ଗସ୍ତ ପ୍ରଭାବ ଶୂନ୍ୟ ହେଲା, ତେବେ ପଶ୍ଚିମରେ ବି ବିଜେପି ଅସ୍ତଯିବା ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ ।