ବିପତ୍ତି ସମୟରେ ସମ୍ପତ୍ତି ଠୁଳର ଆସିଲା ସାଂଘାତିକ ତଥ୍ୟ । ବଲାଙ୍ଗୀରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ବାଉଁଶ କିଣାରେ ହୋଇଛି ବଡ଼ ଦୁର୍ନୀତି, ୮ ଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ

ମହାମାରୀରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଥିଲେ ସରକାରୀ ବାବୁ

279

କନକ ବ୍ୟୁରୋ: ବିପତ୍ତି ସମୟରେ ସମ୍ପତ୍ତି ଠୁଳର ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ମହାମାରୀ ସମୟରେ ଯେତେବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ସେତେବେଳେ ମାଲାମାଲ ହେଉଥିଲେ ସରକାରୀ ବାବୁ । ବଲାଙ୍ଗୀରରେ ବାରିକେଡ୍ ପାଇଁ ବଡ଼ ଦୁର୍ନୀତି । କଂଟେନମେଂଟ ଜୋନରେ ବାଉଁଶ ବାନ୍ଧିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସରକାରୀ ଅଧିକାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ୮ ଖଣ୍ଡ ବାଉଁଶର ଦାମ ଅଢ଼େଇ ଲକ୍ଷ ଟଙ୍କା । ଯେଉଁଠି ଯାହା ପାରିଲେ ମନ ଇଚ୍ଛା ରେଟ୍ ବସାଇଛନ୍ତି ବାବୁମାନେ  । ବିଲ କରିଛନ୍ତି ଟଙ୍କା ବି ଉଠାଇ ନେଇଛନ୍ତି ।

ତେବେ ଏହି ପୁରା ପକ୍ରିୟାରେ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳ ତଳିଆ କର୍ମଚାରୀ ଯାଏଁ ହାତ ରହିଥିବା ଅଭିଯୋଗ ହୋଇଛି । କେଉଁଠି ୮ ଖଣ୍ଡ ବାଉଁଶର ମୂଲ୍ୟ ଅଢ଼େଇ ଲକ୍ଷ ହୋଇଥିବା ବେଳେ ସମାନ ସଂଖ୍ୟକ ବାଉଁଶ ୨୦ରୁ ୩୦ ହଜାର ଟଙ୍କାରେ କିଣା ଯାଇଛି । ହାତିଶାଳପଡ଼ାରେ କଂଟେନମେଂଟ ଜୋନ ପାଇଁ ୨ଲକ୍ଷ ୪୨ ହଜାର ୪୧୬ ଟଙ୍କାରେ ବାଉଁଶ କିଣାଯାଇଛି । ସମାନ ସଂଖ୍ୟକ ବାଉଁଶ ରାଧାରାଣୀପଡ଼ାରେ ଲାଗିଥିବା ବେଳେ ଏହାକୁ କିଣା ଯାଇଛି ୧୧ ହଜାର ୭୦୦ ଟଙ୍କାରେ  । ତେବେ ୨ଟି ସ୍ଥାନରେ ବାଉଁଶର ମୂଲ୍ୟକୁ ନେଇ ଏଭଳି ତାରତମ୍ୟ ଏକ ବଡ଼ ଧରଣର ଦୁର୍ନୀତି ଆଡ଼କୁ ଇଶାରା କରୁଛି ।