ସାଢ଼େ ୭ ଘଂଟାର ଆଲୋଚନା : ବାହାରି ପାରିଲାନି ଚାଷୀ ଆନ୍ଦୋଳନର ନିଷ୍କର୍ଷ; ୫ରେ ପୁଣି ବୈଠକ

କୃଷି ମନ୍ତ୍ରୀ କହିଲେ, ଆଲୋଚନା ସଫଳ, ଏମଏସପି ଥିଲା, ଆଗକୁ ରହିବ; ଆନ୍ଦୋଳନ ଶେଷ କରିବାକୁ କୃଷକଙ୍କୁ କଲେ ଅପିଲ୍, ଚାଷୀ ନେତା କହିଲେ ଜାରି ରହିବ ଆନ୍ଦୋଳନ

54

କନକ ବ୍ୟୁରୋ : ଚାଷୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତିି ଆନ୍ଦୋଳନକାରୀ ଚାଷୀ । କହିଛନ୍ତି, ଆଜି ଦିନ ୧୧ଟାରେ କୃଷକ ସଂଗଠନ ପ୍ରତିନିଧିମାନଙ୍କ ବୈଠକ ବସିବ । ଏଥିରେ ଗୁରୁବାର ବୈଠକରେ କଣ ଚର୍ଚ୍ଚା ହୋଇଛି ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବ । ତାପରେ ପରବର୍ତ୍ତୀ ନିଷ୍ପତି ନିଆଯିବ । ଗୁରୁବାର ଦୀର୍ଘ ସାଢ଼େ ସାତ ଘଂଟାର ଆଲୋଚନା ପରେ ବି ବାହାରି ପାରିନଥିଲା ଆନ୍ଦୋଳନର ନିଷ୍କର୍ଷ ।

ତେବେ ଆଲୋଚନା ସଫଳ ହୋଇଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କହିଛନ୍ତି ମୁଖ୍ୟତଃ ଭାବରେ ନୂଆ କୃଷି ଆଇନରେ ଥିବା ତିନୋଟି ବିନ୍ଦୁ ଉପରେ କୃଷକଙ୍କ ଚିନ୍ତା ରହିଛି । ସେହିସବୁ ସମସ୍ୟାର ସମାଧାନ ପାଇଁ ସରକାର ଖୋଲା ମନରେ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି । ଏଥିପାଇଁ ଆସନ୍ତା ୫ ତାରିଖରେ ପୁଣି କୃଷକମାନଙ୍କ ସହ ବୈଠକ ହେବ । ତେବେ କୃଷକମାନେ ଆନ୍ଦୋଳନରୁ ଓହରି ଯିବାକୁ ସେ ଅପିଲ୍ କରିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ୪୦ ଜଣ କୃଷକ ନେତାଙ୍କ ସହ ନୂଆ କୃଷି ଆଇନ ସଂପର୍କିତ ସମସ୍ୟାକୁ ନେଇ ବୈଠକ କରିଥିଲେ । ଚାଷୀ କେନ୍ଦ୍ର ସରକାରଙ୍କ ପାଖରେ ଉଠାଇଥିବା ଦାବି ଗୁଡିକ ହେଉଛି, ତିନୋଟି ନୂଆ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।

ଚାଷୀଙ୍କ ପାଇଁ ଏମଏସପି ଦେବା ପାଇଁ ଆଇନରେ ବ୍ୟବସ୍ଥା ରହୁ । ଏମଏସପି ଧାର୍ଯ୍ୟ କରିବା ପାଇଁ ସ୍ୱାମିନାଥନ କମିଶନଙ୍କ ଫର୍ମୂଲାକୁ ଲାଗୁ କରାଯାଉ । ଦିଲ୍ଲୀ ଏନସିଆର ଅଂଚଳରେ ଲାଗୁହୋଇଥିବା ବାୟୁପ୍ରଦୂଷଣ ଆଇନକୁ ପ୍ରତ୍ୟାହାର କରାଯାଉ । ଚାଷ ପାଇଁ ଡିଜେଲ ଦରରେ ୫୦ ପ୍ରତିଶତ ହ୍ରାସ କରାଯାଉ ଏବଂ ସାରା ଦେଶରେ ଚାଷୀ ନେତା , କବି, ଲେଖକ ଓ ଆଇନଜୀବୀଙ୍କ ସମେତ ଅନ୍ୟ ସାମାଜିକ କର୍ମୀଙ୍କ ନାମରେ ରହିଥିବା ମାମଲାକୁ ପ୍ରତ୍ୟାହାର କରାଯାଉ ବୋଲି ଚାଷୀ ନେତା ଦାବି କରିଛନ୍ତି । ଗଲା ଏକ ସପ୍ତାହ ହେଲା ଦିଲ୍ଲୀ ସୀମା ଓ ସଡକରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ।