ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ: କହିଲେ, ସାଢେ ୪ କୋଟି ଓଡ଼ିଆ, ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ
କନକ ବ୍ୟୁରୋ: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ୟ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଏକ ଅଗ୍ରଣୀ ଅଞ୍ଚଳକୁ ଗୋଢି ତୋଳିବା ପାଇଁ ଆମ ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଗଣ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧ ଉପରେ ସହମତି ପ୍ରକାଶ କରି ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜ୍ଞାପନ କରୁଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇ, ମା’ ହିଙ୍ଗୁଳା ଏବଂ ସବୁ ଦେବାଦେବୀଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ।
ମହାପ୍ରଭୁଙ୍କ ଶୁଭ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ସୌଭାଗ୍ୟର ବିଷୟ । ଆମର ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ୟ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ । ଓଡ଼ିଆ ଅପେକ୍ଷା ଓ ଆକଂକ୍ଷାର ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ । ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ସ୍ୱାଭିମାନ କେବଳ ରାଜନୈତିକ ବିଷୟ ନୁହେଁ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିରେ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଚାଲିଚଳଣୀ ଓ ପରମ୍ପରାର କଥା ଅଛି । ଏଥିପାଇଁ ଓଡ଼ିଆ ଲୋକମାନେ ବିଜେପିକୁ ଭରପୁର ମାତ୍ରାରେ ଆଶୀର୍ବାଦ କରିଛନ୍ତି । ମୋଦୀ ଯାହା କୁହନ୍ତି, ତାହା କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ । ସବୁ ମୋଦୀ ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିଜେପି ନିଷ୍ଠାର ସହକାରେ ଲୋକଙ୍କ ସେବା କରିବା ସହ ସବୁ ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।