ପୁଣି ବୋଲର ଦେଲେ ଜବରଦସ୍ତ ବିଜୟ । ଶେଷ ଟ୍ୱି-ଟ୍ୱେଂଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪-୧ରେ ସିରିଜ କବଜା ।

209

କନକ ବ୍ୟୁରୋ: ପୁଣି ବାଜି ପଲଟାଇଲେ ବୋଲର । ଶେଷ ଟି-୨୦ ମ୍ୟାଚ୍ ଜିତିଲା ଭାରତ । ବେଙ୍ଗାଲୁରୁରେ ଖେଳାଯାଇଥିବା ପଂଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିଜୟ ସହ ପ୍ରଥମଥର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୪-୧ରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦ ରନ୍ । ଜବାବରେ କଙ୍ଗାରୁ ଦଳ ୮ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି ।

ବୋଲିଂରେ ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ସଫଳତା ପାଇଥିଲେ । ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ମାରିଥିବା ବେଳେ ଅକ୍ଷର ପଟେଲ ଓ ଜିତେଶ ଶର୍ମା ଉପଯୋଗୀ ଇନିଂସ୍ ଖେଳିଥିଲେ । ଆୟର ମାତ୍ର ୩୭ ବଲ୍ରେ କରିଥିଲେ ୫୩ ରନ୍ । ଅକ୍ଷର ୩୧ ରନ୍, ଜିତେଶ ଶର୍ମା ୨୪ ରନ୍ ଏବଂ ଯଶସ୍ୱୀ ଜୈସୱାଲ ୨୧ ରନ୍ କରିଥିଲେ । ୧୬୧ ରନ୍ର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ମ୍ୟାକଡରମଟ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୨୮ ରନ୍ ଏବଂ ଅଧିନାୟକ ମାଥ୍ୟୁ ୱେଡ୍ ୨୨ ରନ୍ କରିଥିଲେ ।