କନକ ବ୍ୟୁରୋ : ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଚୟନ ପାଇଁ ଘୋଷଣା ହେଲେ ବିଜେପିର ୯ଜଣ ପର୍ଯ୍ୟବେକ୍ଷକ । ରାଜସ୍ଥାନ ପାଇଁ ତିନି ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଦାୟିତ୍ୱରେ ଅଛନ୍ତି ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେ । ସେହିପରି ମଧ୍ୟପ୍ରଦେଶ ପାଇଁ ମନହୋରଲାଲ, କେ ଲକ୍ଷ୍ମଣ ଓ ଆଶା ଲକ୍ଡାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ ସୋଁନ୍ୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦାୟିତ୍ୱ ମିଳିଛି ।

Advertisment

୫ରାଜ୍ୟ ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କରିଛି ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଗୁରୁବାର ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତି ହୋଇନାହିଁ । ଶେଷରେ ଦଳ ୩ ରାଜ୍ୟ ପାଇଁ ଶୁକ୍ରବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସୂଚନା ଅନୁସାରେ ସେମାନେ ପର୍ଯ୍ୟବେକ୍ଷକମାନେ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକମାନେ କାହାକୁ ନିଜର ନେତା ବୋଲି ବାଛିବାକୁ ଚାହୁଁଛନ୍ତି, ତାର ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡକୁ ହସ୍ତାନ୍ତର କରାଯିବ । ଏହା ପରେ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।

ଗୋଟେପଟେ ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ବିଜେପି ପୁରୁଖା ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ସେପଟେ ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗେୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପର୍ଦ୍ଦା ଉଠିବ ବୋଲି କହିଥିଲେ ବିଜୟବର୍ଗୀୟ ।

ବିଜେପି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଦେଇନଥିଲା । ୩ରାଜ୍ୟରେ ବିଜେପି ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରିଛି । ସେପଟେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁୁରୁଖା, ଅଭିଜ୍ଞ ଓ ବରିଷ୍ଠ ଚେହେରା ରହିଛନ୍ତି । ତଥାପି ନୂଆ ସମୀକରଣ ଆଧାରରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଥରକ ମୌକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।