ଆସନ୍ତା ୨୩ରେ ତୃତୀୟ ପର୍ଯ୍ୟାୟ ମତଦାନ । ନେତା ବାଛିବେ ୯୨ ଲକ୍ଷରୁ ଅଧିକ ମତଦାତା ।

103

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ ଗୋଟି ଲୋକସଭା ଆସନ ଯଥା- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୧ ଜଣ ପାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଜାତୀୟ ଦଳର, ୬ ଜଣ ରାଜ୍ୟସ୍ତରୀୟ ଦଳର, ୨୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ ।

ସେହିପରି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ସେମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ଜାତୀୟ ଦଳର, ୪୨ ଜଣ ରାଜ୍ୟସ୍ତରୀୟ ଦଳର, ୯୦ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦,୪୬୪ ବୁଥରେ ୪୭,୯୯,୦୩୦ ପୁରୁଷ ଭୋଟର, ୪୪,୫୬,୭୨୯ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ପ୍ରେସ୍ ବିବୃତିରୁ ଜଣାପଡ଼ିଛି ।