ଗଞ୍ଜାମରେ ‘କରୋନା’ର ବିସ୍ଫୋରକ ସ୍ଥିତି: ଭୂତାଣୁ ସଂକ୍ରମଣରେ ଜଣକର ମୃତ୍ୟୁ; ଜିଲ୍ଲାରେ ୮ ଦିନରେ ୧୧୮ ଆକ୍ରାନ୍ତ

4,274

କନକ ବ୍ୟୁରୋ: ଗଞ୍ଜାମରେ କରୋନାର ବିସ୍ଫୋରକ ସ୍ଥିତି । ଆଜିର ସଂଖ୍ୟାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସୁରତ ଲିଙ୍କ ରହିଛି । ତେବେ ବଡ କଥା ହେଉଛି ୮ ଦିନ ମଧ୍ୟରେ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ତେବେ ଆଗକୁ ଏହି ସଂଖ୍ୟା ଆହୁରୀ ବଢିପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି ମହାମାରୀ କରୋନାରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରର ୨ ଜଣ କରୋନାରେ ଆଖି ବୁଝିଥିଲେ ।

ତେବେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହୋଇଥିବା ଗଂଜାମ ଉପରେ ସ୍ୱତନ୍ତ୍ର ନଜର ଦେଇଛନ୍ତି ସରକାର । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଂଜାମ ଗସ୍ତ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ଏହି ୭ ଜଣିଆ ଦଳରେ ଅଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି । ଆଇସିଏମଆର ଓ ଆରଏମଆରସିର ପ୍ରତିନିଧି ମଧ୍ୟ ଏହି ଟିମରେ ଅଛନ୍ତି । ଜିଲ୍ଲାରେ ଅବରୋଧ ଅଂଚଳକୁ କିଭଳି କଡା କଡି କରାଯିବ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ, ସେନେଇ ଡାକ୍ତରୀ ସହାୟତା ଯୋଗାଇ ଦେବେ ଏହି ବିଶେଷଜ୍ଞ ଦଳ ।

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟ ଜିଲ୍ଲା ପ୍ରଶାସନକୁ ଏକ୍ଷେତ୍ରରେ ସହାୟତା ଯୋଗାଇ ଦେବ । ଗଂଜାମ ଜିଲ୍ଲାରେ ଗୋଟିଏ ସପ୍ତାହରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ ୨ ତାରିଖରେ ଏଠାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରବାସୀ ଶ୍ରମିକମାନେ ଜିଲ୍ଲାକୁ ଫେରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରେ ୮୮ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣକର କେରଳ ଲିଙ୍କ ରହିଛି । ଜିଲ୍ଲାକୁ ପ୍ରାୟ ୩୫ ହଜାର ପ୍ରବାସୀ ଶ୍ରମିକ ଫେରିଥିବାରୁ ଏହି ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ପୂର୍ବରୁ ତିନି ଆଇଏଏସଙ୍କୁ ମଧ୍ୟ ଗଂଜାମ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ଦାୟିତ୍ୱ ଦେଇଛନ୍ତି ସରକାର ।