କନକ ବ୍ୟୁରୋ : ଫେବ୍ରୁଆରି ମାସରେ ରାଜ୍ୟର ପ୍ରଥମ ଓ ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ । ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାସ ନାମ୍ନୀ ଜଣେ ମହିଳାଙ୍କୁ ବ୍ରେନ୍ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାରବର୍ଗ ଅଙ୍ଗଦାନ କରିବାକୁ ରାଜି ହୋଇଥିବାରୁ ତାଙ୍କର ଦୁଇଟି କିଡ୍ନିକୁ ଏସ୍ସିବି ମେଡିକାଲର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିବାକୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ସକାଳେ ଏହି ପ୍ରତିରୋପଣ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ, ୪ଦିନ ତଳେ ଏକ ଦୁର୍ଘଟଣାରେ ଆହତ ହୋଇ ହାଇଟେକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାଶ(୪୫)। ହେଲେ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେବା ସହ ବୁଧବାର ସକାଳୁ ସେ ବ୍ରେନ୍ଡେଡ୍ ସ୍ଥିତିକୁ ଚାଲି ଯାଇଥିଲେ। ଫଳରେ ତାଙ୍କ ପରିବାର ଲୋକ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏ ସଂପର୍କରେ ସଟୋ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତ ରଂଜନ କରଙ୍କ ସହ ଆଲୋଚନା କରିଥିଲେ। ବିଧିବଦ୍ଧ ଭାବେ ବ୍ରେନ୍ଡେଡ୍ ଘୋଷଣା ପରେ ତାଙ୍କ କିଡ୍ନି ଏସ୍ସିବି ଓ ଆପୋଲା ହସ୍ପିଟାଲର ଦୁଇ ଜଣ ରୋଗୀଙ୍କ ଦେହରେ କାଡାଭରିକ୍ ପ୍ରତିରୋପଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।