ଘରେ ରୋଗିଣା ବାପା-ମାଆ, ମଶାଣିରେ ଜଳିଲା ରୋଜଗାରିଆ ପୁଅର ଚିତା । କଳାହାଣ୍ଡି ଜିଲ୍ଲାରେ ସରୁନି ଦାଦନ ଦୁଃଖ, ୨ ଦିନରେ ଗାଁକୁ ଫେରିଛି ୩ ଦାଦନ ଶ୍ରମିକଙ୍କ ଶବ

100

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଦାଦନ ଦୁଃଖ । ଦୁଇ ଦିନରେ ଗାଁକୁ ଫେରିଛି ୩ ଦାଦନ ଶ୍ରମିକଙ୍କ ଶବ । ମଶାଣିରେ ରୋଜଗାରିଆ ପୁଅର ଚିତା ଜଳୁଛି । ଘରେ ନିର୍ବାକ ହୋଇଯାଇଛନ୍ତି ରୋଗିଣା ବାପା-ମାଆ । ଏ ଚିତ୍ର ଦେଖିଲେ, ମନକୁ ଆପଣା ଛାଏଁ ଆସିଯାଉଛି ଦୁଃଖ ଆଉ କଣ କି ବୋଲି । ୮୦ ଦଶକରେ ଭୋକର ଭୁଗୋଳ ବୋଲି ଚିତ୍ରଣ କରାଯାଉଥିବା କଳହାଣ୍ଡି ଜିଲ୍ଲା ଏବେ ଦାଦନ ଶ୍ରମିକଙ୍କ ହବ୍ ପାଲଟିଛି । ପ୍ରତିଦିନ ଜିଲ୍ଲାର ୧୩ଟି ବ୍ଲକରୁ ଶହଶହ ଶିକ୍ଷିତ ଯୁବକ ଯୁବତୀ ରୋଜଗାର ଆଶାରେ ରାଜ୍ୟ ବାହାରକୁ ଯାଉଛନ୍ତି । ଦାଦନ ଖଟି ପରିବାର ପୋଷିବା ପାଇଁ ଚେଷ୍ଟା କରୁଛନ୍ତି । କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଛନ୍ତି । ଏଇ ଏବେ ଏବେ ଦୁଇଟି ବ୍ଲକର ୩ ଜଣ ଦାଦନ ଶ୍ରମିକଙ୍କ ଚିତା ଜଳିଛି । ଗତ ୧୫ ତାରିଖରେ ଧର୍ମଗଡ ବ୍ଲକ ଖଇରପଦର ଗାଁର ପ୍ରଦୁନ ସାହୁଙ୍କ ଏକମାତ୍ର ପୁଅ ଜନ୍ମେଜୟ ଝାଡଖଣ୍ଡରେ ଏକ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ସେହିଦିନ ତେଲେଙ୍ଗାନାରେ ଏକ ଇଟ୍ଟାଭାଟିରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ଖଂଚାଣବାହେଳି ଗାଁର ୪୦ ବର୍ଷିୟ ବ୍ୟକ୍ତି ଘନଶ୍ୟାମ ଜୁଏଡ୍ । ଜନ୍ମେଜୟ ଓ ଘନଶ୍ୟାମଙ୍କ ମୃତ୍ୟୁ ଖବର ଚର୍ଚ୍ଚା ଥମି ନଥିବା ବେଳେ ୧୬ ତାରିଖରେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଥିଲା । ଜୁନାଗଡ ବ୍ଲକର କାର୍ଲି ଗ୍ରାମର ଯୁବକ ଲକ୍ଷ୍ମଣ ଜହଜଲଙ୍କ ଦୁଃଖଦ ମୃତ୍ୟୁ ଖବର ଆସିଛି । ଦାଦନ ଶ୍ରମିକଙ୍କ ମୃତ୍ୟୁର ୩ ଦିନ ପରେ ଗାଁରେ ପହଂଚିଥିଲା ଶବ । ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗିପଡିଥିବା ପରିବାର ଲୋକ ଓ ସଂପର୍କୀୟ ଶୋକାକୁଳ ପରିବେଶରେ ଦାହ ସଂସ୍କାର କରିଛନ୍ତି ।