କନକ ବ୍ୟୁରୋ : ସାରା ବିଶ୍ୱ ଆଜି ଆତ୍ମହତ୍ୟା ନିରୋଧ ଦିବସ ପାଳୁଥିବା ବେଳେ ବରଗଡ଼ ସୋହେଲାରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଝିଅ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛନ୍ତି ମା’ । ବରଗଡ ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଜି ବିଷ ପିଇ ଦେଇ ଘର କବାଟ ବନ୍ଦ କରିଥିଲେ । ପଡ଼ୋଶୀ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଂଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥ୍ାରେ ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କର ଅବସ୍ଥା ସଂକଟାପର୍ଣ୍ଣ ରହିଛି ।

Advertisment

ମାନସିକ ଚାପରେ ପୁରା ପରିବାର ଏଭଳି ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ରୋଗାଗ୍ରସ୍ତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁକୁ ସହିପାରନଥିଲେ ପରିବାର । ଶେଷରେ ଏଭଳି ଚରମ ନିଷ୍ପତି ନେବାକୁ ଚାହିଁଥିଲେ ପୁରା ପରିବାର ।