କନକ ବ୍ୟୁରୋ : ସାରା ବିଶ୍ୱ ଆଜି ଆତ୍ମହତ୍ୟା ନିରୋଧ ଦିବସ ପାଳୁଥିବା ବେଳେ ବରଗଡ଼ ସୋହେଲାରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଜି ବିଷ ପିଇ ଦେଇ ଘର କବାଟ ବନ୍ଦ କରିଥିଲେ । ପଡ଼ୋଶୀ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଂଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ୩ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମାନସିକ ଚାପରେ ପୁରା ପରିବାର ଏଭଳି ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ରୋଗାଗ୍ରସ୍ତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁକୁ ସହିପାରନଥିଲେ ପରିବାର । ଶେଷରେ ଏଭଳି ଚରମ ନିଷ୍ପତି ନେବାକୁ ଚାହିଁଥିଲେ ପୁରା ପରିବାର ।