କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ । ବ୍ଲକ ହେଡକ୍ୱାର୍ଟରରେ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ପ୍ରଥମ ଦିନ ଗଣତିର ଭୋଟ ଫଳାଫଳ ସାମ୍ନାକୁ ଆସୁଛି । ଏବେସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ୨୬୩ ଆସନରେ ବିଜେଡି ବାଜିମାତ କରିଛି । କଂଗ୍ରେସ ଓ ବିଜେପି ସମାନ ୧୪ ଆସନରେ ବିଜୟୀ ହୋଇଛନ୍ତି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ମାରିଛନ୍ତି ବାଜି । ତେବେ ଏହି ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଏମିତି ଅନେକ ପ୍ରାର୍ଥୀ ରହିଛନ୍ତି ଯେଉଁମାନେ ଖୁବ୍ କମ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ଏପରିକି ଜଣେ ପ୍ରାର୍ଥୀ ୨୨ ଖଣ୍ଡ ଭୋଟରେ ମଧ୍ୟ ବିଜୟୀ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

Advertisment

୨୯୫ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୩୯ ଜଣ ଏମିତି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ୧୦୦୦ରୁ କମ ଭୋଟରେ ବିଜୟୀ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ୨୦୦ରୁ କମ ଭୋଟରେ ୭ ଜଣ ପ୍ରାର୍ଥୀ, ୨୦୧ରୁ ୫୦୦ ଭୋଟରେ ୧୦ ଜଣ ପ୍ରାର୍ଥୀ, ୫୦୧ରୁ ୧୦୦୦ ଭୋଟରେ ୨୨ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏବେ ସୁଦ୍ଧା ବିଜୟୀ ହୋଇଥିବା ୨୯୫ ପ୍ରାର୍ଥୀଙ୍କର ଏହା ୧୩% ରହିଛି । ଏଥିରୁ ଅନୁମାନ କରନ୍ତୁ ପ୍ରାର୍ଥୀଙ୍କ ମଧ୍ୟରେ କେତେ କଡାକଡି ଟକ୍କର ହୋଇଛି । ସବୁଠୁ ବଡ କଥା ହେଲା ବିଜେଡିର ୧୬ ଜଣ ପ୍ରାର୍ଥୀ ୧୦୦୦ରୁ କମ ଭୋଟରେ ବିଜୟୀ ହୋଇଥିବା ବେଳେ ବିଜେପିର ୮ ଜଣ ପ୍ରାର୍ଥୀ ଓ କଂଗ୍ରେସର ୬ ଜଣ ପ୍ରାର୍ଥୀ ୧୦୦୦ରୁ କମ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ଜେଏମଏମର ଜଣେ ପ୍ରାର୍ଥୀ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ୧୦୦୦ରୁ କମ ଭୋଟରେ ବିଜୟୀ ହୋଇଛନ୍ତି ।