କନକ ବ୍ୟୁରୋ : ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ପୂରା ବିଶ୍ୱକୁ ଚିନ୍ତା ଘାରିଛି । ଦିନ ବିତିବା ସହ ଏହି ଭାରିଆଣ୍ଟ ଏବେ ପ୍ରତ୍ୟେକ ଦେଶକୁ ବ୍ୟାପିବା ଆରମ୍ଭ କରିଛି । ପାଖାପାଖି ୨୫ ଦେଶକୁ ଏହି ଭାରିଆଣ୍ଟ ବ୍ୟାପିଥିବା ବେଳେ ଭାରତରେ ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଇଛି । ସମସ୍ତ ଟେଷ୍ଟ ପରେ ଯାତାୟତ ପାଇଁ ଅନୁମତି ଦିଆଯାଉଛି । ଖାସକରି ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଉପରେ ଦୃଷ୍ଟି ରଖଯାଇଛି ।

Advertisment

ଏସବୁ ଭିତରେ ଓମିକ୍ରନ୍ ରିସ୍କ ଦେଶରୁ ବର୍ତମାନ ସୁଦ୍ଧା ଓଡ଼ିଶା ଫେରିଛନ୍ତି ୩୮୦ ଜଣ । ୨୮ ତାରିଖ ସୁଦ୍ଧା ୨୨୪ ଜଣ ଓଡ଼ିଶାକୁ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ରାଜ୍ୟକୁ ଆସିଛନ୍ତି । ସମସ୍ତ ପ୍ରକାର ଟେଷ୍ଟ କରି ଏମାନେ ଓଡ଼ିଶା ଫେରିଛନ୍ତି । ଏହାସତ୍ତେ୍ୱ ମଧ୍ୟ ନେଗେଟିଭ୍ ଥିଲେ ୭ ଦିନ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଓମିକ୍ରନ ରିସ୍କ ଦେଶରୁ ଫେରୁଥିବା ବିଦେଶ ଫେରନ୍ତାଙ୍କ ପୂରା ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ତେଣୁ ଏମାନଙ୍କ ଉପରେ ସରକାରଙ୍କ ପକ୍ଷରୁ ବେଶ ସହଜରେ ନଜର ରଖଯାଇପାରିବ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ବିଦେଶରୁ ଆସୁଥିବା ଯାତ୍ରୀ ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ(କେଉଁଠୁ ଆସୁଛନ୍ତି କେଉଁଠିକୁ ଯିବେ) ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟ ଯଦି ପଜିଟିଭ ଆସିଲା ତାଙ୍କୁ ତୁରନ୍ତ ଆଇସୋଲେଶନକୁ ପଠାଯିବ । ଯଦି ନେଗେଟିଭ ଆସିଲା ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ଛଡା ଯିବ । ୭ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ତାଙ୍କର ପୁଣି ଥରେ ଟେଷ୍ଟ କରାଯିବ । ଯେହେତୁ ବିଦେଶ ଫେରନ୍ତା ବିମାନ ବନ୍ଦରରେ ଟେଷ୍ଟ କରି ଆସୁଛନ୍ତି ତେଣୁ ଆମେ ବର୍ତ୍ତମାନ ସେମାନଙ୍କୁ ଟ୍ରେସ କରି ଅଷ୍ଟମ ଦିନ ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନେଇଛୁ । ଯଦି ଏହି ଅଷ୍ଟମ ଦିନ ତାଙ୍କର ପଜିଟିଭ ଆସିଲା ସେ ଆଇସୋଲେସନକୁ ଯିବେ ନଚେତ ଆଉ ୭ ଦିନ ତାଙ୍କୁ ସେଲଫ ଅଵଜରବେଶନରେ ରଖାଯିବ । ମୋଟ ୧୪ ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଆଉ ଯେଉଁ ମାନଙ୍କର ପଜିଟିଭ ଆସିବ ତାଙ୍କର ଜିନମ ସିକ୍ୟୁସେନିଂ କରାଯିବ ।

ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି । ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣ ଆଫ୍ରିକାରେ ୨୪ଘଣ୍ଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡେଲଟା ଭ୍ୟାରିଆଂଟ ଯେତେବେଳେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା, ସେତେବେଳେ ଜୁଲାଇ ୩ରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଏହା ଧିରେ ଧିରେ କମି ଚାଲିଥିଲା । କିନ୍ତୁ ଏବେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ଚିନ୍ତା ବଢ଼ିଯାଇଛି । ଓମିକ୍ରନ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି କି ନାହିଁ ଜଣାପଡି ନଥିଲେ ବି ଲୋକ ଗହଳି ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକାର ରାଜଧାନୀ କେପଟାଉନରେ ଜୀବନଯାତ୍ରା ସ୍ୱାଭାବିକ ଥିବା କହିଛନ୍ତି ସେଠାରେ ରହୁଥିବା ଓଡିଆ ପ୍ରଫେସର ।