କନକ ବ୍ୟୁରୋ : ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ କ୍ୟାନସର ହସ୍ପିଟାଲରୁ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏସସିବିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଏସସିବିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। କ୍ୟାନସର ହସ୍ପିଟାଲ ଓ ଏସସିବି ବ୍ୟତୀର କଟକର ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ୨ ତାରିଖ ଦିନ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୫୫ ଜଣ କରୋନା ଚିହ୍ନଟ ହୋଇଥିଲେ। ଜୁଲାଇ ୧ ତାରିଖରେ କ୍ୟାନ୍ସର ହସ୍ପିଟାଲରୁ ଗତକାଲି ୫ ଜଣ ରୋଗୀ ଓ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୯ ତାରିଖରେ ୪ ଜଣ ରୋଗୀ, ଜଣେ ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଜୁନ ୨୮ ତାରିଖରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ। ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଗତ ୨୪ ତାରିଖରେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। କର୍କଟ ରୋଗୀ ଜଣକ ହସ୍ପିଟାଲର ଜରୁରୀକାଳୀନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲାର ଏହି ରୋଗୀଙ୍କୁ ଗତ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା। ତାଙ୍କର କେମୋ ଚାଲିଥିବା ବେଳେ ଓ୍ଵାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ। କର୍କଟ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ-୧୯ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ଓ୍ଵାର୍ଡକୁ ସିଲ କରାଯିବା ସହ ସାନିଟାଇଜ୍ କରାଯାଇଥିଲା।