ବିସ୍ଫୋରଣ ପରେ ଆକ୍ସନ । ରାଜଭବନ ନିକଟ ପେଟ୍ରୋଲ ପମ୍ପକୁ ସିଲ କଲା ଆଇଓସିଏଲ : ସୁରକ୍ଷା ଦୃଷ୍ଟିରୁ ନିଆଗଲା ପଦକ୍ଷେପ

233

କନକ ବ୍ୟୁରୋ : ରାଜଧାନୀର ରାଜବଭବନ ନିକଟରେ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା । ପେଟ୍ରୋଲ ପମ୍ପକୁ ସିଲ୍ କଲା ଇଣ୍ଡିଆନ ଅଏଲ କର୍ପୋରେସନ । ଗତ ବୁଧବାର ଦିନ ହଠାତ ଉକ୍ତ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସିଏନଜି ଗ୍ୟାସ୍ ସିଲିଣ୍ଡର ଲିକ୍ ରୁ ହୋଇଥିବା ନେଇ ସୂଚନା ଦେଇଥିଲେ କମିଶନରେଟ୍ ପୋଲିସ । ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ । ସେପଟେ ବିସ୍ଫୋରଣ ଘଟିଥିବା ସିଏନଜି ଷ୍ଟକ ଏବେ ବି ବିପଦମୁକ୍ତ ହୋଇନଥିବା ଜଣାପଡିଛି । ବିସ୍ଫୋରଣ ଦିନ କମିଶନରେଟ୍ ପୋଲିସ ପକ୍ଷରୁ ପେଟ୍ରୋଲ ଟାଙ୍କିର ୨ କିଲୋମିଟର ପରିଧିକୁ କିଛି ସମୟ ପାଇଁ ସିଲ୍ କରାଯାଇଥିଲା ।

ଅନ୍ୟପଟେ ଆଜି ପେଟ୍ରୋଲ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ତା ନିଜ ତରଫରୁ ପେଟ୍ରୋଲ ପମ୍ପଟିକୁ ସିଲ୍ କରିଛି । ଏହା ସହ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ସହ ଗୁରୁତର ଓ ଆହତ ମାନଙ୍କ ଚିକିତ୍ସା ପାଇଁ ବି ଆର୍ଥିକ ସହାୟତା ଯୋଗାଇଛି କମ୍ପାନୀ । ଅନ୍ୟପଟେ ସମସ୍ତ ଆହତ ମାନଙ୍କ ମାଗଣା ଚିକିତ୍ସା ହେବ ବୋଲି ବିସ୍ଫୋରଣ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟପଟେ ସାରା ରାଜ୍ୟରେ ପେଟ୍ରୋଲ ପମ୍ପର ନିରାପତ୍ତା ନେଇ ଯାଂଚ ହେବ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପେଟ୍ରୋଲପମ୍ପରେ ବିସ୍ଫୋରଣକୁ ନେଇ ଏସବୁ ବାଦ ସବୁଠାରୁ ବଡକଥା ହେଉଛି ପେଟ୍ରୋଲ ପମ୍ପର କିଛି କର୍ମଚାରୀ ଏଯାଏ ନିଖୋଜ ଥିବା କଥା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ବି ଏହାକୁ ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳିଛି । ଏନେଇ କୋଲକତାରୁ ମରାମତି ପାଇଁ ଆସିଥିବା ଜଣେ ଯୁବକର କିଛି ପତ୍ତା ମିଳୁନାହିଁ । ଏନେଇ ତାଙ୍କ ପରିବାର ଲୋକେ ପେଟ୍ରୋଲପମ୍ପରେ ପହଂଚି ଅଧିକାରୀଙ୍କ ସହ କଥା ହେବା ପରେ ନିରାଶ ହୋଇ ଫେରିଛନ୍ତି ।