ଆକାଶରୁ ଖସିଲା ମୃତ୍ୟୁ : ବର୍ଷା ସାଙ୍ଗକୁ ମାରିଲା ବିଜୁଳି, ଘଡ଼ଘଡ଼ି; ମୟୁରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରାଘାତ ହେବାରୁ ୪ ଜଣଙ୍କ ମୃତ୍ୟୁ

280

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରାଘାତ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାଘୁଆଶୋଳ ଗାଁର ଦଶମ ଶ୍ରେଣୀ ଛାତ୍ର ବବୁଲୁ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଏବଂ ନମବ ଶ୍ରେଣୀ ଛାତ୍ର ସୁଜିତ ନାୟକ, ଘରୁ ଶହେ ମିଟର ଦୂର ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଜୋରରେ ବର୍ଷା ସାଙ୍ଗକୁ ପ୍ରବଳ ବଜ୍ରପାତ ହୋଇଥିଲା । ପାଖରେ ଥିବା ଏକ ଗଛ ମୁଳକୁ ୩ ଜଣ ଧାଇଁ ଯାଇଥିଲେ । ଆଉ ଠିକ୍ ଏହି ସମୟରେ ହଠାତ୍ ଜୋରରେ ଏକ ବଜ୍ରପାତ ହୋଇଥିଲା । ଆଖି ପିଛୁଳାକେ ବବୁଲୁ, ବର୍ଷା ଓ ସୁଜିତ ଚେତା ହରାଇ ଗଛ ମୁଳେ ପଡ଼ିଯାଇଥିଲେ । ତୁରନ୍ତ ସେମାନଙ୍କୁ ବାରିପଦା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଶୁଳିଆପଦା ବ୍ଲକ ଚୁହାଟ ପଂଚାୟତର ବଡନାଚଣା ଗାଁରେ ଅନୁପମା ବିଶ୍ୱାଳଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଡମ୍ବରୁଧର ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଗତବର୍ଷ ଏପ୍ରିଲ ମାସରୁ ଚଳିତବର୍ଷ ମାର୍ଚ୍ଚ ମାସ, ଗୋଟିଏ ବର୍ଷ ଭିତରେ ଓଡ଼ିଶାରେ ୨୦ ଲକ୍ଷ ୪୩ ହଜାର ଥର ବିଜୁଳି ମାରିଛି । ତାପୂର୍ବ ବର୍ଷ ତୁଳନାରେ ଓଡ଼ିଶାରେ ଏହାର ହାର ୩୭ ପ୍ରତିଶତ ବଢ଼ିଛି । ବଜ୍ରପାତର ତୀବ୍ରତା ଏବଂ ବଜ୍ରପାତର ସଂଖ୍ୟା ଯୋଗୁଁ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥାଏ । ବିଗତ ଗୋଟିଏ ବର୍ଷ ଭିତରେ ଆମ ଦେଶରେ ୧ ହଜାର ୬୯୭ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ବିହାରରେ ସର୍ବାଧିକ ୪୦୧ ଜଣଙ୍କର ମୃତ୍ୟୁ ହୋଇଛି । ଗଛ ତଳେ ରହିବା କାରଣରୁ ପ୍ରାୟ ୭୦% ବଜ୍ରାଘାତ ହେଉଥିବା ବେଳେ ଖୋଲା ଆକାଶ ତଳେ ଥିବା ସମୟରେ ୨୫% ଲୋକ ବଜ୍ରାଘାତରେ ମୃତ୍ୟୁବରଣ କରୁଛନ୍ତି ।

ଗ୍ଲୋବାଲ ୱାରର୍ମିଂ, ଜଙ୍ଗଲ କ୍ଷୟ, ଜଳସ୍ତର ପତନ, କଂକ୍ରିଟକରଣ, ପ୍ରଦୁଷଣ ବୃଦ୍ଧିର ଏକ ବଡ଼ ପ୍ରଭାବ ପରିବେଶ ଉପରେ ପଡୁଛି । ଆଉ ଏହାର ପ୍ରତିକ୍ରିୟା ଭାବେ ବଜ୍ରାଘାତ ଭଳି ପ୍ରାକୃତିକ ଅଘଟଣ ଘଟିଥାଏ । ଆଫ୍ରିକା ମହାଦେଶରେ ସବୁଠୁ ଅଧିକ ବଜ୍ରାଘାତ ଜନିତ ମୃତ୍ୟୁ ହୋଇଥାଏ । ଏହା ପଛକୁ ଏସିଆ, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ରହିଛି । ପ୍ରଶ୍ନ ହେଉଛି ବଜ୍ରାଘାତ ଜନିତ ମୃତ୍ୟୁକୁ କେମିତି କମ୍ କରି ହେବ ? ବଜ୍ରାଘାତକୁ ସଂପୂର୍ଣ୍ଣ ରୋକିବା ଅନ୍ତତଃ ବର୍ତ୍ତମାନ ପକ୍ଷେ ସଂଭବ ନୁହେଁ । ତେବେ ବଜ୍ରାଘାତ ସମ୍ପର୍କରେ ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇପାରିବ । ଘର ଓ କିମ୍ବା ବସତିରେ ବଜ୍ରାଘାତ ପ୍ରତିରୋଧୀ ଉପକରଣର ବ୍ୟବହାର କରାଯାଇପାରିବ ।