ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି : ୩୭ ଶିବସେନା ବିଧାୟକଙ୍କ ଦସ୍ତଖତ ସହ ବାଚସ୍ପତିଙ୍କୁ ଚିଠି ଲେଖିଲେ ଏକନାଥ ସିନ୍ଦେ

110

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ ।

ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ । ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସେମାନଙ୍କ ନେତା ଘୋଷଣା କରିଛନ୍ତି । ଏହାସହ ସିନ୍ଦେ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ବିଦ୍ରୋହୀ ଗୋଷ୍ଠୀରେ ନୂଆ ନୂଆ ନେତା ଯୋଗଦେବାରେ ଲାଗିଛନ୍ତି । ମହାରାଷ୍ଟ୍ରର ଆଉ ୨ ଜଣ ସ୍ୱାଧୀନ ବିଧାୟକ ଆସାମର ଗୌହାଟୀରେ ପହଞ୍ଚିଛନ୍ତି । ଏହାପୂର୍ବରୁ ଦୁଇ ଜଣ ଶିବସେନା ବିଧାୟକ ମଧ୍ୟ ସିନ୍ଦେ ପକ୍ଷରେ ଯୋଗଦେଇଥିଲେ । ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କ ପକ୍ଷରେ ଏବେ ୩୭ରୁ ଅଧିକ ଶିବସେନା ବିଧାୟକ ଥିବା ବେଳେ ୯ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି ।