କନକ ବ୍ୟୁରୋ: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡା ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତେବେ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେ । ଚତୁର୍ଥ ପର୍ୟ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ୟ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ବୋଲି ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଏହି କାର୍ୟ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି। ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ୟ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ୟ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ୟ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।

ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫ଟି ଉପକ୍ରମରେ ଏହି ରୂପାନ୍ତର କାର୍ୟ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି । ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।

ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ ୫ଟି ନୀତିର ପ୍ରୟୋଗ କର । ଏହା ତୁମମାନଙ୍କ ପାଇଁ ସଫଳତା ଆଣିଦେବ । ତୁମେମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ ।

କାର୍ୟ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ପ୍ରଥମରୁ ସ୍କୁଲ ରୂପାନ୍ତର ଏକ ସ୍ୱପ୍ନ ଭଳି ଥିଲା । ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଅଭିଭାବକ ସମସ୍ତଙ୍କ ସହଯୋଗରେ, ଟିମ୍‌ ୱାର୍କରେ ଏହା ଅଭୂତପୂର୍ବ ସଫଳତା ପାଇଛି ବୋଲି ସେ କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବର୍ତ୍ତମାନ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସେ ଏଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।