ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ୟାସ୍’ : ପାରାଦ୍ୱୀପରୁ ୩୬୦ କିଲୋମିଟର ଦୂରରେ ରହିଛି ବାତ୍ୟା

458

କନକ ବ୍ୟୁରୋ : ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ଶେଷ ଖବର ସୁଦ୍ଧା ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୬୦ କିଲୋମିଟର ଓ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି ।

ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଭାରତୀୟ ପାଣିପାଗ ବିଭାଗ କହିଛି ଏହି ବାତ୍ୟା, ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ ।

ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ମାଡି ଚାଲିଛି, ଏବଂ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି । ବାଲେଶ୍ୱର-ଭଦ୍ରକ ଉପକୂଳରେ ମାଡ କରିବା ପରେ ଏହି ବାତ୍ୟା ବାରିପଦା ଦେଇ ଝାଡଖଣ୍ଡ ଆଡକୁ ମୁହାଁଇ କ୍ରମଶଃ ଦୁର୍ବଳ ହୋଇଯିବ । ଏସଆରସି କହିଛନ୍ତି, ବାତ୍ୟା ବାଲେଶ୍ୱର , ମୟୁରଭଞ୍ଜ, ଓ କେଉଁଝରର କିଛି ଅଂଶକୁ କଭର କରି ଝାଡଖଣ୍ଡ ଆଡେ ଯିବ ।