ମହାମାରୀରେ ମହଙ୍ଗା ମାଡ଼ । ବର୍ଷ ଆରମ୍ଭରୁ ୨୬ ଟଙ୍କା ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର

95

କନକ ବ୍ୟୁରୋ : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୬ ପଇସା ବଢିଛି । ସେହିପରି ଡିଜେଲ ଲିଟର ପିଛା ୩୯ ପଇସା ମହଙ୍ଗା ହୋଇଛି । ରାଜଧାନୀରେ ୧୧୦ ଟଙ୍କା ଟପିଲା ପେଟ୍ରୋଲ ଦର । ସେପଟେ ମାଲକାନଗିରିରେ ୧୧୫ ଟଙ୍କା ୮୫ ପଇସାରେ ପହଞ୍ଚିଯାଇଛି ପେଟ୍ରୋଲ ମୂଲ୍ୟ । ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ବ୍ରେକ୍ ଲାଗୁନି । ଯହାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ ୩୯ ପଇସା ମହଙ୍ଗା ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧୦ ଟଙ୍କା ୩୨ ପଇସା ଓ ଡିଜେଲ ଲିଟର ୧୦୬ ଟଙ୍କା ୯୯ ପଇସା ହୋଇଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ୧୧୫ ଟଙ୍କା ୮୫ ପଇସା ଓ ଡିଜେଲ ୧୧୨ ଟଙ୍କା ୩୫ ପଇସାରେ ବିକ୍ରି ହେଉଛି । କାଲିମେଳାରେ ପେଟ୍ରୋଲ ସର୍ବାଧିକ ୧୧୬ ଟଙ୍କା ୯୩ ପଇସା ଓ ଡିଜେଲ ୧୧୩ ଟଙ୍କା ୩୪ ପଇସାରେ ବିକ୍ରି ହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚଳିତବର୍ଷ ଆରମ୍ଭରୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ପ୍ରାୟ ୨୬ ଟଙ୍କା ବଢିଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି ।
– କେବଳ ଅକ୍ଟୋବର ମାସରେ ୮ ଟଙ୍କା ବଢିଲାଣି ପେଟ୍ରୋଲ, ଡିଜେଲ ଦର
– ପେଟ୍ରୋଲ ଉପରେ ଟିକସ ଅଂଶ ପ୍ରାୟ ୬୦ ଟଙ୍କା ଓ ଡିଜେଲ ଉପରେ ୫୪ ଟଙ୍କା ରହିଛି
– କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୦ ପଇସା ଆଦାୟ କରୁଛନ୍ତି
– ସେହିପରି ଗୋଟିଏ ଲିଟର ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଆଦାୟ କରୁଛି କେନ୍ଦ୍ର
– ଟିକସରେ ରାସ୍ତା ନିର୍ମାଣ ସେସ୍ ବାବଦରେ କେନ୍ଦ୍ର ଆଦାୟ କରୁଛି ଲିଟର ପିଛା ୧୮ ଟଙ୍କା
– ଗତବର୍ଷ କେନ୍ଦ୍ର ସରକାର କରୋନା ମହାମାରୀ ପାଇଁ ଟିକସ ପରିମାଣ ବୃଦ୍ଧି କରିଥିଲେ
– ଉତ୍ପାଦ ଶୁଳ୍କ, ବିଭିନ୍ନ ପ୍ରକାର ସେସ୍ ଆଦି ବାବଦକୁ ଚଢା ଟିକସ ଆଦାୟ କରୁଛନ୍ତି ସରକାର
– ପେଟ୍ରେଲ ଉପରେ ୩୨ ପ୍ରତିଶତ ଓ ଡିଜେଲ ଉପରେ ୨୮ ପ୍ରତିଶତ ଟିକସ ନେଉଛି ଓଡିଶା
– ଗତବର୍ଷ ମେ’ ମାସରେ ମୂଲ୍ୟ ଯୁକ୍ତ ଟିକସ ବା ଭାଟ୍ ସଂଶୋଧନ କରିଥିଲେ ରାଜ୍ୟ ସରକାର
– ୨୦୨୦ ମେ’ ୧୬ରେ ପେଟ୍ରୋଲ ଲିଟର ୩ ଟଙ୍କା ୧୪ ଓ ଡିଜେଲ ୧ ଟଙ୍କା ୩ ପଇସା ବଢିଥିଲା

ସେପଟେ, ଦରବୃଦ୍ଧି ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ଶାସକ ଦଳ ବିଜେଡି । ବଢୁଥିବା ଦରଦାମକୁ ଦୃଷ୍ଟିରେ ରଖି ଆଜି ରାଜଭବନ ସାମ୍ନାରେ ପ୍ରତିବାଦ କରିବ ବିଜେଡି । ସେହିପରି ୫ରୁ ୭ ପେଟ୍ରୋଲ ପମ୍ପ ଘେରିବ ଯୁବ ଓ ଛାତ୍ର ସଂଗଠନ ।