ସୁନ୍ଦରଗଡର ୩୭ କୋଭିଡ ଯୋଦ୍ଧାଙ୍କୁ କରୋନା: ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ପୁଲିସ କର୍ମଚାରୀ; ଟୁଇଟ କରି ସୂଚନା ଦେଲେ ଜିଲ୍ଲାପାଳ

ସେପଟେ ଖୋର୍ଦ୍ଧା ହସପିଟାଲରେ ଜଣେ ଡାକ୍ତର କରୋନା ଚିହ୍ନଟ ପରେ ସ୍ଥାନାନ୍ତର ହେଲା ଓପିଡି

236

କନକ ବ୍ୟୁରୋ: ସୁନ୍ଦରଗଡରେ କରୋନା ସ୍ଥିତି ସଂଗୀନ ହୋଇପଡିଛି । ଆଜି ସୁନ୍ଦରଗଡରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ୩୭ ଜଣଙ୍କ ମଧ୍ୟରୁ ୩୫ ଜଣ ପୁଲିସ କର୍ମଚାରୀ, ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ଥିବା ସୂଚନା ମିଳିଛି । କରୋନା ଯୋଦ୍ଧାଙ୍କ ଭିତରୁ ୧୫ ଜଣ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆଉ ୨୨ ଜଣଙ୍କୁ ଘରୋଇ ସଂଗରୋଧରେ ରହିବାକୁ କୁହାଯାଇଛି । ସୁନ୍ଦରଗଡ ଜିଲ୍ଳାପାଳ ଆଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି । ତେବେ ୩୧୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ଜିଲ୍ଲାରେ ୪୦୪ଟି ସକ୍ରିୟ ମାମଲା ରହିଛି ।

ସେପଟେ, ଖୋର୍ଦ୍ଧା ଜିଲ୍ଲାରେ ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଜିଲ୍ଲାର ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ହୋଇଛି କରୋନା । ଖୋର୍ଧା ମୁଖ୍ୟ ଡାକ୍ତରଖାନାରେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ସାନିଟାଇଜ୍ କରାଯାଇଛି । ଏହା ସହିତ ଡାକ୍ତରଖାନାର ଓପିଡିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଧା ସିଡିଏମଓ । ଖୋର୍ଦ୍ଧାରେ ମୋଟ୍ ୧ହଜାର ୪୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ୯୩୫ଜଣ ସୁସ୍ଥ ହୋଇଥିବା ବେଳେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ୪୭୧ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।