ବରଫ ତରଳୁଛି, ବିପଦ ବଢୁଛି । ୧୦ ବର୍ଷ ଭିତରେ ଗ୍ରୀନଲ୍ୟାଣ୍ଡରେ ତରଳିଛି କୋଟି କୋଟି ଟନ୍ ବରଫ, ଫୁଲୁଛି ସମୁଦ୍ର ।

229

କନକ ବ୍ୟୁରୋ : ଗ୍ରୀନଲ୍ୟାଣ୍ଡରେ ଜମା ହୋଇଥିବା ବରଫ ଧୀରେଧୀରେ ତରଳିବାକୁ ଆରମ୍ଭ କରିଲାଣି। ଦେଖିବାକୁ ଗଲେ ଗତ ଦଶବର୍ଷ ମଧ୍ୟରେ ଗ୍ରୀନଲ୍ୟାଣ୍ଡରେ ଜମା ହୋଇଥିବା ପ୍ରାୟ ୩୫୦,୦୦୦ କୋଟି ଟନ୍ ବରଫ ତରଳି ଯାଇଛି। ଏହି କାରଣରୁ ବିଶ୍ୱସ୍ତରରେ ସମୁଦ୍ରର ଜଳସ୍ତର ପ୍ରାୟ ଏକ ସେଣ୍ଟିମିଟର ବୃଦ୍ଧି ପାଇଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି କି, ଦ୍ରୁତ ଗତିରେ ତରଳୁଥିବା ବରଫ ପୃଥିବୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବନ୍ୟା ଆଶଙ୍କା ବୃଦ୍ଧି କରି ଦେଇଛି। ଏନେଇ ନିକଟରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ ନେଚର କମ୍ୟୁନିକେସନରେ ପ୍ରକାଶିତ ଏକ ଗବେଷଣାରୁ ସୂଚନା ମିଳିଛି।

ଉଲ୍ଲେଖନୀୟ କଥା ହେଉଛି, ପୃଥିବୀର ବୃହତ୍ତମ ଦ୍ୱୀପ ଗ୍ରୀନଲ୍ୟାଣ୍ଡରେ ଯେତେ ପରିମାଣର ବରଫ ଗଚ୍ଛିତ ଅଛି, ତାହା ଯଦି ତରଳିଯାଏ ତେବେ ସମଗ୍ର ବିଶ୍ୱର ସମୁଦ୍ରର ଜଳସ୍ତର ପାଖାପାଖି ୨୦ ଫୁଟ ଉପରକୁ ଉଠିଯିବ। କେବଳ ଏତିକି ନୁହେଁ, ଗତ ୪ ଦଶନ୍ଧି ମଧ୍ୟରେ ଏଠାରେ ଜମା ହୋଇଥିବା ବରଫ ଖଣ୍ଡ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ତରଳିବାକୁ ଲାଗିଛି।

ଗବେଷଣା ଅନୁସାରେ ଗତ ଚାରି ଦଶନ୍ଧି ମଧ୍ୟରେ ଗ୍ରୀନଲ୍ୟାଣ୍ଡରେ ବରଫ ତରଳୁଥିବା ହେତୁ ଜଳ ପ୍ରବାହରେ ୨୧ପ୍ରତିଶତ ବୃଦ୍ଧି ହୋଇଛି। ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ବାରା ଉପଲବ୍ଧ କରାଯାଇଥିବା ତଥ୍ୟରେ ଦର୍ଶାଇଛି ଯେ ୨୦୧୧ ପରଠାରୁ ଏଠାରେ ଜମା ହୋଇଥିବା ବରଫରୁ ପ୍ରାୟ ୩.୫ ଲକ୍ଷ କୋଟି ଟନ୍ ବରଫ ତରଳି ଯାଇଛି। ଏଥିସହିତ, ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ଯେତିକି ବରଫ ତରଳିଛି ତାହାର ଏକ ତୃତୀୟାଂଶ କେବଳ ଦୁଇଟି ଗ୍ରୀଷ୍ମଋତୁରେ ତରଳିଛି। ଏହି ଦୁଇଟି ମଧ୍ୟରେ ୨୦୧୨ ଏବଂ ୨୦୧୯ର ଗ୍ରୀଷ୍ମଋତୁ ରହିଛି।

ଦେଖିବାକୁ ଗଲେ ଗ୍ରୀନଲ୍ୟାଣ୍ଡ ହେଉଛି ବିଶ୍ୱର ସେହି କତିପୟ ସ୍ଥାନ ମଧ୍ୟରୁ ଗୋଟିଏ ଯେଉଁଠାରେ ବୈଜ୍ଞାନିକମାନେ ଜଳବାୟୁର ଅଧ୍ୟୟନ କରିଥାନ୍ତି। ପ୍ରଥମ ଥର ଲାଗି ସେଠାରେ ବରଫ ତରଳିବା ପ୍ରବାହକୁ ଗବେଷଣା କରିବା ପାଇଁ ବୈଜ୍ଞାନିକମାନେ ଉପଗ୍ରହରୁ ପ୍ରାପ୍ତ ତଥ୍ୟର ସାହାଯ୍ୟ ନେଇଛନ୍ତି ।
ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱ ତାପମାତ୍ରା ଯେପରି ଭାବରେ ବୃଦ୍ଧି ପାଉଛି ତାହା ବରଫ ତରଳିବା ପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ଉପଗ୍ରହରୁ ପ୍ରାପ୍ତ ଫଟୋରେ ବରଫ ତରଳିବା ଯୋଗୁଁ ଯେଉଁ ପରିବର୍ତ୍ତନ ହୋଇଛି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଏହି ପରିପ୍ରେକ୍ଷୀରେ, ୟୁନିର୍ଭସିଟି ଅଫ ଲିଡସର ସେଣ୍ଟର ଫର ପୋଲର ଅବଜରଭେସନ୍ ଆଣ୍ଡ ମଡେଲିଂ ସହ ଜଡିତ ‌ବୈଜ୍ଞାନିକ ତଥା ଏହି ଗବେଷଣାର ପ୍ରମୁଖ ଗବେଷକ ଥମାସ୍ ସ୍ଲେଟର କହିଛନ୍ତି ଯେ ଯେପରି ଆମେ ବିଶ୍ୱର ଅନ୍ୟାନ୍ୟ ଅଂଶକୁ ଦେଖିଛୁ, ଗ୍ରୀନଲ୍ୟାଣ୍ଡରେ ବି ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜଳବାୟୁ କ୍ରମଶଃ ଯେତେ ଉଷ୍ମ ହୋଇ ଯିବ ଗ୍ରୀନଲ୍ୟାଣ୍ଡରେ ବରଫର ତରଳିବା ମଧ୍ୟ ତଦନୁପାତିକ ଭାବେ ବୃଦ୍ଧି ପାଇବ।

ଏହାପୂର୍ବରୁ ୟୁନର୍ଭିସିଟି ଅଫ ଲିଡସ ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା କି ୯୦ ଦଶକରୁ ଗ୍ରୀନଲ୍ୟାଣ୍ଡରେ ଜମା ହୋଇଥିବା ବରଫରୁ ପ୍ରାୟ ୩.୩୦୦ କୋଟି ଟନ୍ ପ୍ରତି ବର୍ଷ ତରଳିବାକୁ ଲାଗିଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହା ବୃଦ୍ଧି ପାଇ ବର୍ଷକୁ ୨୫,୪୦୦କୋଟି ଟନ ହୋଇଯାଇଛି, ଯାହାର ଅର୍ଥ ହେଉଛି ଗତ ତିନି ଦଶନ୍ଧି ମଧ୍ୟରେ ଏହାର ତରଳିବା ହାର ସାତଗୁଣ ବୃଦ୍ଧି ପାଇଛି ।

ଜଳବାୟୁ ପରିବର୍ତ୍ତନର ଗମ୍ଭୀରତା ଏବଂ ଏହି ପ୍ରସଙ୍ଗଗୁଡ଼ିକୁ ଧ୍ୟାନରେ ରଖି ବିଶ୍ୱ ସ୍ତରରେ ଆଲୋଚନା ପାଇଁ ଗ୍ଲାସ୍ଗୋରେ ୨୬ ତମ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ ସମ୍ମିଳନୀ(COP26) ଆରମ୍ଭ ହୋଇଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)