ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୁରିଲା ୩୫ ବର୍ଷ : ଏବେ ବି ଜନ୍ମ ନେଉଛନ୍ତି ଦିବ୍ୟାଙ୍ଗ ଶିଶୁ

230

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ୩୫ ବର୍ଷ ପୁରିଛି। କିନ୍ତୁ ଏଥିରେ ପୀଡ଼ିତଙ୍କ ଦୁର୍ଦ୍ଦଶା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଘଟଣାକୁ ତିନି ଦଶକ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଅବସ୍ଥାରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିପାରିନାହିଁ । ରାଜ୍ୟ ତଥା କେନ୍ଦ୍ର ସ୍ଥରରେ ସରକାର ବଦଳୁଛନ୍ତି ସତ କିନ୍ତୁ ବଦଳିନାହିଁ ଏମାନଙ୍କ ଦୁର୍ଦ୍ଦଶା । ଆଗରୁ ଏମାନଙ୍କ ଅବସ୍ଥା ଯେମିତି ଥିଲା ସେମିତି ହିଁ ରହିଛି । ସୂଚନା ଅନୁଯାୟୀ, ପୀଡିତମାନଙ୍କୁ ନା ଏବେ ପର୍ୟ୍ୟନ୍ତ ଆର୍ଥିକ ସହାୟତା ମିଳିଛି ନା ସେମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏମିତିକି ଏବେ ପର୍ୟ୍ୟନ୍ତ ଏମାନେ ଶୁଦ୍ଧ ପାନୀୟ ଜଳ ଟିକେ ମଧ୍ୟ ପାଇପାରି ନାହାନ୍ତି । ପ୍ରକୃତ ନ୍ୟାୟକୁ ଅପେକ୍ଷା କରି କରି ୩୫ ବର୍ଷ ହୋଇଗଲାଣି।

ସୂଚନାଯୋଗ୍ୟ, ୧୯୮୪ ମସିହା ଡିସେମ୍ବର ୨-୩ ତାରିଖ ମଧ୍ୟରାତ୍ରରେ ଆମେରିକୀୟ କମ୍ପାନୀ ଡାଓ କେମିକାଲ୍ସ କମ୍ପାନୀରୁ ହଟାଥ୍ ମିଥାଇଲ ଆଇସୋ ସିଆନାଇଡ଼ ଗ୍ୟାସ ନିର୍ଗତ ହେବା ଦ୍ୱାରା ଗୋଟିଏ ରାତିରେ ହିଁ ପ୍ରାୟ ହଜାରେ ଲୋକଙ୍କର ଜୀବନ ଚାଲିଯାଇଥିଲା । ଗ୍ୟାସର ପ୍ରାଦୁର୍ଭାବ ଏତେ ଭୟାବହ ଥିଲା ଯେ ପୀଡିତ ପରିବାରଙ୍କ ୨ୟ ଓ ୩ୟ ପିଢ଼ି ଛୁଆ ମାନେ ମଧ୍ୟ ଦିବ୍ୟାଙ୍ଗ ହୋଇ ଜନ୍ମ ନେଉଛନ୍ତି । ଉଭୟ ଗଭୀର ଶାରୀରିକ ଓ ମାନସିକ ଭାବେ ବିକାରଗ୍ରସ୍ତ ହୋଇ କଟୁଛି ଏମାନଙ୍କ ଜୀବନ । ଚିଂଗାରୀ ନାମକ ଏକ ଟ୍ରଷ୍ଟ ଏହି ପିଲାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛିଟା ହାତ ବଢ଼ାଇଛି । ଏହି ପିଲା ମାନଙ୍କର ଫିଜିଓ ଥେରାପି ଭଳି ଚିକିତ୍ସା ପଦ୍ଧତିରେ ଚିକିତ୍ସା କରାଯାଉଛି । ଏମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ବିଶେଷ ଯାନବାହାନର ସୁବିଧା କରାଯାଇଛି । ଏହା ସହ ଟ୍ରଷ୍ଟ ତରଫରୁ ଏହି ଶିଶୁ ମାନଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ମଧ୍ୟ ଯୋଗାଇ ଦିଆଯାଉଛି । ଏହି ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ବହୁ ଜଣଙ୍କ ଫୁସଫୁସ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ହୋଇଯାଇଛି । କ୍ଷତିପୁରଣ ପାଇଁ ମିଳିଥିବା ମାତ୍ର ୨୫ ହଜାର ଟଙ୍କାରେ କଷ୍ଟେମଷ୍ଟେ ଚାଲିଛି ଚିକିତ୍ସା। ଅନ୍ୟ ପକ୍ଷରେ ଭୋପାଲ ଗ୍ୟାସ ସହଯୋଗ ସମିତିର ସଂଯୋଜକ ସାଧନା କ୍ରନିକ ସରକାରଙ୍କୁ ଏଥିପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦାୟୀ କରିଛନ୍ତି ।

ତାଙ୍କ ଅନୁସାରେ ଏବେ ପର୍ୟ୍ୟନ୍ତ ବି ପ୍ରଭାବିତ ସ୍ଥାନର ଜଳକୁ ସମ୍ପୂର୍ଣ୍ଣ ରୂପେ ପ୍ରଦୂଷଣ ମୁକ୍ତ କରାଯାଇ ପାରିନାହିଁ । ଏଠିକାର ଲୋକେ ଅଧିକ ମାତ୍ରାରେ ବିଷାକ୍ତ ପାଣିର ଶିକାର ହେଉଛନ୍ତି । ତେବେ ଏହି ଅଞ୍ଚଳର କିଡନୀ, ଫୁସଫୁସ, ହୃଦରୋଗ, ଭୟାବହ ଚର୍ମ ରୋଗ, ଆଖି ସଂକ୍ରମଣ ଆଦି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଆସ୍ତମା ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୀଡିତମାନଙ୍କ ଚିକିତ୍ସା ପାଇଁ ବହୁ ହସ୍ପିଟାଲମାନ ଏହି ଅଞ୍ଚଳରେ ଖୋଲା ଯାଇଥିଲେ ମଧ୍ୟ ସେଗୁଡ଼ିକରେ ଏବେ ପର୍ୟ୍ୟନ୍ତ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ଆସିପାରିନାହିଁ । ସବୁ ବର୍ଷ ଏମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ମିଳିପାରିନାହିଁ ।