ସ୍କୁଲରୁ ଆସିଲା ସଂକ୍ରମଣର ଖବର । ୨ଟି ସ୍କୁଲରୁ ୩୪ ଜଣ ପିଲା କରୋନା ଆକ୍ରାନ୍ତ ।

440

କନକ ବ୍ୟୁରୋ : ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ବିଶେଷଜ୍ଞ ମାନେ ମତ ଦେଉଥିବା ବେଳେ ଏପଟେ ଓଡ଼ିଶାର ୨ଟି ସ୍କୁଲରୁ ୩୪ ଜଣ ପିଲା କରୋନାରେ ସଂକ୍ରମିତ ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ବରଗଡର ଏକ ଘରୋଇ ସ୍କୁଲ ଓ କାମାକ୍ଷାନଗରର ଏକ ସରକାରୀ ସ୍କୁଲରେ ଏହି ସଂକ୍ରମଣ ହୋଇଛି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ ଏବଂ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଡିଏମଇଟି କହିଛନ୍ତି କୌଣସି ସ୍କୁଲରେ ସଂକ୍ରମଣ ଦେଖାଦେଲେ ସେହି ସ୍କୁଲକୁ ବନ୍ଦ କରିଦିଆଯିବ ।

ସ୍କୁଲରୁ ଆସିଲା ସଂକ୍ରମଣର ଖବର । ୨ଟି ସ୍କୁଲରୁ ୩୪ ଜଣ ଆକ୍ରାନ୍ତ । ସମସ୍ତେ ସୁସ୍ଥ, କେହି ହୋଇନାହାନ୍ତି ଗୁରୁତର । ବରଗଡର ଏକ ଘରୋଇ ସ୍କୁଲ ବିକାଶ ରେସିଡେନସିଆଲ ସ୍କୁଲରେ ୨୦ ଜଣ ପିଲା ଓ ଢ଼େଙ୍କାନାଳର ସରକାରୀ ସ୍କୁଲରୁ ୧୪ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି । ଛୋଟ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ମତ ପ୍ରକାଶ ପାଉଥିବାବେଳେ ଏହି ସଂକ୍ରମଣ ଖବର ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି, କରୋନା ସଂକ୍ରମିତ ହୋଇଥିବା କୌଣସି ପିଲା ଗୁରୁତର ହୋଇନାହାନ୍ତି । ଅର୍ଥାତ ପିଲାମାନେ ଘରେ ସଙ୍ଗରୋଧରେ ଅଛନ୍ତି । ଏବଂ କାହାକୁ ହସ୍ପିଟାଲକୁ ଯିବାକୁ ପଡିନି ।

ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ସ୍କୁଲକୁ ସିଲ୍ କରି ଦିଆଯାଇଛି । ଏବଂ ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ ପିଲା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାହା ଦେଖିବାକୁ ପଡିବ । ସେହିପରି ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକ ଅବଗତ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ସ୍କୁଲ ପିଲା ସଂକ୍ରମିତ ହୋଇଥିଲେ ବି ହସପିଟାଲାଇଜେସନ ରେଟରୁ ଜଣାପଡୁଛି ଅଧିକାଂଶ ପିଲା ସାମାନ୍ୟ ସଂକ୍ରମିତ ହୋଇଛନ୍ତି ।