କନକ ବ୍ୟୁରୋ: ନିର୍ବାଚନକୁ ହାତରେ ଆଉ ଅଳ୍ପ ଦିନ । ଏହାପୂର୍ବରୁ ରାଜ୍ୟର କିଛି ସ୍ଥାନକୁ ଏନଏସି ଏବଂ ପୌରପରିଷଦର ମାନ୍ୟତା ଦେଇଛନ୍ତି  ରାଜ୍ୟ ସରକାର । ଯାହାକି ସଂପୃକ୍ତ ଅଞ୍ଚଳ ଗୁଡିକର ଦୀର୍ଘ ଦିନର ଦାବି ରହିଥିଲା । ୨୦ଟି ଜିଲ୍ଲାର ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା ହୋଇଛି । ସେହିପରି ୪ଟି ଜିଲ୍ଲାର ୫ଟି ଏନଏସି ମ୍ୟୁନିସିପାଲଟିକୁ ଉନ୍ନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ଏହି ଘୋଷଣା କରିବା ପରେ ସଂପୃକ୍ତ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

Advertisment

ତେବେ ଦୀର୍ଘ ଦିନର ଦାବି ପୂରଣ ପରେ ସବୁଠି ଉତ୍ସବର ମାହୋଲ । ବାଜା ବଜାଇ, ବାଣ ଫୁଟାଇ, ମିଠା ବାଣ୍ଟି ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ଅଞ୍ଚଳବାସୀ । କେବଳ ଜୟପାଟଣା କି ନିଆଳି ନୁହେଁ, ନୂଆ ଏନଏସିର ମାନ୍ୟତା ପାଇଥିବା ଓ ଏନଏସିରୁ ପୌରପରିଷଦକୁ ଉନ୍ନୀତ ହୋଇଥିବା ସବୁ ସ୍ଥାନରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ ।

ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଆସିବା ଭିତରେ, ରାଜ୍ୟ ସରକାର ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ସହର ଗୁଡିକ ମଧ୍ୟରୁ ୨୦ ଜିଲ୍ଳାର ୩୪ଟି ଅଞ୍ଚଳକୁ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସେହିପରି ବୌଦ୍ଧଗଡ଼, ଆସ୍କା, ଛତ୍ରପୁର, କରଞ୍ଜିଆ ଓ କଣ୍ଟାବାଜି, ୫ଟି ଏନଏସିକୁ ଉନ୍ନୀତ କରାଯାଇ ପୌରପରିଷଦ ମାନ୍ୟତା ଦିଆଯାଇଛି । ଜନସାଧାରଣଙ୍କ ଦାବି, ଜନସଂଖ୍ୟା ବୃଦ୍ଧି, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଖିରେ ରଖି ଏହି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାର ଗୋଟିଏ ଦିନରେ ଏତେ ସଂଖ୍ୟାରେ ଏନଏସି ଘୋଷଣା କରିବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ କେତେ ଲାଭଦାୟକ ହେବ ଓ ନିର୍ବାଚନକୁ କେତେ ପ୍ରଭାବିତ କରିବ, ଏବେ ତା ଉପରେ ନଜର ।