ସବୁଜ ଜହର ବଳୟରେ ଲାଲକରିଡର । ଗଂଜେଇ ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ମାଲକାନଗିରି, ଭାରରେ ବୋହି ରାଜ୍ୟ ପାର କରୁଥିବା ୩୪ ମାଫିଆଙ୍କୁ ବାନ୍ଧିଲା ପୁଲିସ ।

111

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଥମୁନି ସବୁଜ ଜହର କାରବାର । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ମାଫିଆ । ପୁଲିସ ଆଖିରେ ଧୂଳି ଦେଇ ଗଂଜେଇ ଚାଲାଣ କରିବାରେ ସଫଳ ହେଉଛନ୍ତି । ଏମିତି କି ବାଟ ଓଗାଳୁ ଥିବା ଯବାନଙ୍କୁ ଆକ୍ରମଣ କରିବାରେ ମଧ୍ୟ ପଛାଉ ନାହାନ୍ତି ଗଂଜେଇ ମାଫିଆ । ମାଥିଲି ଅଂଚଳରେ ପୁଲିସକୁ ଆକ୍ରମଣ କରି ଜଣେ ଯବାନକୁ ଲହୁ ଲୁହାଣ କରିବା ପରେ ମାଲକାନଗିରି ପୁଲିସ ଆକ୍ସନ ମୋଡକୁ ଆସି ଟନ୍ ଟନ୍ ଗଂଜେଇ ଜବତ କରିଛି । ଏହା ସହ ଭାରରେ ବହୁ ଥିବା ୩୪ ଜଣ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତଥାପି କିନ୍ତୁ ଜିଲ୍ଲାରେ ଗଂଜେଇ କାରବାର ଥମିବାର ନାଁ ଧରୁନାହିଁ ।

ସବୁଜ ଜହର ବଳୟରେ ମାଲକାନଗିରି । ଥମୁନି ଗଞ୍ଜେଇ ଚାଷ । କମୁନି ଚୋରା କାରବାର । ଗଂଜେଇ ମାଫିଆଙ୍ଗ ଭୁ-ସ୍ୱର୍ଗ ପାଲଟିଛି ମାଓ ଇଲାକା । ଗଂଜେଇକୁ ଭାରରେ ବୋହି ରାଜ୍ୟ ପାର କରିବା ଘଟଣାରେ ବନ୍ଧା ହୋଇଛନ୍ତି ୩୪ ଚୋରା ଚାଲାଣକାରୀ । ଲାଲ୍ କରିଡରରେ ପୁଲିସ ଉପରେ ଆକ୍ରମଣ କରି ପାର ହେବାକୁ ଉଦ୍ୟମ କରୁଥିବା ଗଂଜେଇ ମାଫିଆଙ୍କୁ କାବୁ କରିଛି, ମାଲକାନଗିରି ପୁଲିସ । ମାଥିଲି ଥାନା ଗୁରୁଗୁଡା ଗାଁରୁ ଟନ୍ ଟନ୍ ଚୋରା ଗଂଜେଇ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୬ କୋଟି ଟଙ୍କାରୁ ଅଧିକ ।

ଜୁନ୍ ୫ ତାରିଖରେ ଚିତ୍ରକୋଣ୍ଡା ଠାରୁ ମାଥିଲି ଅଂଚଳ ଦେଇ ଭାରରେ ପଡୋଶି ରାଜ୍ୟକୁ ଗଂଜେଇ ଚୋରା ଚାଲାଣ କରୁଥିଲେ ୧୫୦ରୁ ଅଧିକ ମାଫିଆ । ମାଥିଲି ପୁଲିସ ସେମାନଙ୍କ ବାଟ ଓଗାଳିବାରୁ ପୁଲିସ ଉପରକୁ ଆକ୍ରମଣ କରିଥିଲେ ଗଂଜେଇ ମାଫିଆ । ଏଥିରେ ଜଣେ କନେଷ୍ଟବଳ ଆହତ ହେବା ପରେ ମାଥିଲି ପୁଲିସ ଓ ଯବାନମାନେ ଗୁରୁଗୁଡା ଗାଁ ନିକଟରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ୩୪ ଗଂଜେଇ ମାଫିଆ ବନ୍ଧା ହେବା ସହ ୩ ହଜାର ୩୦୦ କେଜି ଗଂଜେଇ ଜବତ ହୋଇଛି ।

ପୂର୍ବରୁ ମାଲକାନଗିରିରେ ସକ୍ରିୟ ଥିବା ଗଂଜେଇ ମାଫିଆମାନେ ତେଲ ଟ୍ୟାଙ୍କର ଠାରୁ ଆରମ୍ଭ କରି ନଡିଆ ଓ ଲୁଣ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ କରି ପୁଲିସ ହାତରେ ଧରା ପଡିଛନ୍ତି । ବାରମ୍ବାର ପୁଲିସ ହାବୁଡରେ ପଡିବା ପରେ ଗଂଜେଇ ଚୋରା କାରବାର ପାଇଁ ନୂଆ ଫର୍ମୁଲା ଆପଣାଇଛନ୍ତି । ଭାର ସାହଯ୍ୟରେ ଜଙ୍ଗଲ ପଥ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗଂଜେଇ ପଠାଉଛନ୍ତି । ମାଲକାନଗିରି ଜିଲ୍ଲାର ହଜାର ହଜାର ହେକ୍ଟର ପାହାଡିଆ ଜମିରେ ପ୍ରତିବର୍ଷ ଗଂଜେଇ ଚାଷ ହେଉଛି । ପୁଲିସ ଓ ଅବକାରୀ ବିଭାଗ ଅନେକ ଜମିରେ ଗଂଜେଇ ଚାଷକୁ ନଷ୍ଟ କରୁଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତୁ ଜାଣିବା କେଉଁ ବର୍ଷ କେତେ ଜବତ ? ୨୦୧୮ରେ ମାଲକାନଗିରି ପୁଲିସ ୧୦୨ଟି ମାମଲା ରୁଜୁ କରିଥିଲା । ୧୭୯ ଜଣ ଅଭିଯୁକ୍ତ ଓ ୮୩ଟି ଗାଡି ସହ ୧୭ ହଜାର ୧୧୮ କିଲୋଗ୍ରାମ ଗଂଜେଇ ଜବତ ହୋଇଥିଲା । ଚଳିତବର୍ଷ ଏବେ ସୁଦ୍ଧା ୪୮ଟି ମାମଲା ରୁଜୁ ହୋଇଛି । ୧୦୪ ଜଣ ଗଂଜେଇ ଚାଲାଣକାରୀଙ୍କ ସହ ୧୨ ହଜାର ୪୨୬ କିଲୋଗ୍ରାମ ଗଂଜେଇ ଜବତ ହୋଇଛି ।

ମାଲକାନଗିରି ପୁଲିସ ଭଳି ଅବକାରୀ ବିଭାଗ ମଧ୍ୟ ଗଂଜେଇ ମାଫିଆଙ୍କୁ ଧରିବାରେ ଅନେକ ସଫଳତା ହାସଲ କରିଛି । ତଥାପି କିନ୍ତୁ ଗଂଜେଇ ଚାଷ କି ଚୋରା ଚାଲାଣ ଥମିବାର ନାଁ ଧରୁ ନାହିଁ । ମାଲକାନଗିରି ଜିଲ୍ଲାର ଦୁର୍ଗମ ଏବଂ ଅପହଞ୍ଚ ଇଲାକାରେ ଚାଲିଛି ଅବାଧ ଗଂଜେଇ ଚାଷ । ମାଓ ଭୟ ଯୋଗୁଁ ପୁଲିସ ଓ ଅବକାରୀ ବିଭାଗ ଦୁର୍ଗମ ଅଂଚଳରେ ପହଁଚି ପାରୁନଥିବାରୁ ଏହାର ସୁଯୋଗ ନେଇ ମାଲକାନଗିରିକୁ ସବୁଜ ଜହରର ଭୁ-ସ୍ୱର୍ଗରେ ପରିଣତ କରିଛନ୍ତି ଗଂଜେଇ ମାଫିଆ ।