କନକ ବ୍ୟୁରୋ : କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ୍ ସମସ୍ୟା ଦୂର ହେବ । ଲୋଭୋଲଟେଜ, ବାରମ୍ବାର ବିଦ୍ୟୁ୍ତ କାଟରୁ ବର୍ତିବା ପାଇଁ କାଲିମେଳାର ଗମ୍ପାକୋଣ୍ଡା ଠାରେ ୨ଟି କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଅନୁମତି ନେଇ ସବୁ ପ୍ରକାର ବିଧି ବ୍ୟବସ୍ଥା ଭିତରେ ୧୯୯୧ର ୩ ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଥିଲା । ୫କୋଟି ୪୬ ଲକ୍ଷର ବଜେଟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ସରିବା ବେଳକୁ ଖର୍ଚ୍ଚ ୩୪ କୋଟିରୁ ଅଧିକ ହୋଇସାରିଥିଲା । କେନାଲ ପାଣିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଥିଲା । ହେଲେ କେନାଲରେ ଘଳିଆ ପଡିବାରୁ ବିଦ୍ୟୁତ୍ ଉତ୍ପାଦନରେ ସମସ୍ୟା ହେଲା, ତେଣୁ ଦ୍ୱିତୀୟ ପ୍ରକଳ୍ପ କାମକୁ ସଂପୂର୍ଣ୍ଣ ସ୍ଥଗିତ ରଖି ୨୦୦୪ରେ ପ୍ରଥମ ପ୍ରକଳ୍ପରୁ ୧ ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ କରାଗଲା । ହେଲେ ନିମ୍ନମାନର ଯନ୍ତ୍ରାଂଶ କିମ୍ବା ଡ଼ିଜାଇନରେ ତ୍ରୁଟି ଯୋଗୁଁ ୨୦୦୮ ପରଠାରୁ ୨ଟି ଯାକ ପ୍ରକଳ୍ପ ଅଚଳ ହୋଇପଡିଛି । ଏହାକୁ ସଜାଡ଼ିବା ବଦଳରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ସବୁଦିନ ପାଇଁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।
୨୦୦୮ରେ ପ୍ରକଳ୍ପ ନିର୍ମାଣ ସରିବା ପରେ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବାବୁମାନେ ଏଠାରେ ନରହି ଜୟପୁର ସ୍ଥିତି ବାରିଣୀପୁଟରେ ରହୁଛନ୍ତି । ଫଳରେ ଅଧିକାରୀଙ୍କ ପାଇଁ ଗମ୍ପାକୋଣ୍ଡାରେ ନିର୍ମାଣ ହୋଇଥିବା ୨ଟି ବଙ୍ଗଳା ଭୂତକୋଠିରେ ପରିଣତ ହୋଇଛି । ଅନେକ ଜିନିଷ ପତ୍ର ମଧ୍ୟ ଚୋରି ହୋଇଗଲାଣି । ନକ୍ସଲ ଆଳ ଦେଖାଇ ସରକାରୀ ଅଧିକାରୀ ରହୁନଥିବାରୁ ୩୦ଜଣ ଠିକା କର୍ମଚାରୀଙ୍କ ହାତରେ ୨ଟି ପ୍ରକଳ୍ପକୁ ଟେକି ଦିଆଯାଇଛି ।