ରାଜ୍ୟ କ୍ୟାବିନେଟ ବୈଠକରେ ୩୩ ପ୍ରସ୍ତାବକୁ ମୋହର: କେନ୍ଦୁଝରର ୧୪ ଓ ଯାଜପୁରର ୯ଟି ଉଠା ଜଳସେଚନ ପ୍ରକଳ୍ପକୁ ମଂଜୁରୀ

145

କନକ ବ୍ୟୁରୋ: ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆନନ୍ଦପୁର ଲେଫ୍ଟ ମେନ୍ କେନାଲ, ବିଦ୍ୟାଧରପୁର ବ୍ୟାରେଜରୁ ପାଣି ନେଇ ୧୪ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ରାଜ୍ୟ କ୍ୟାବିନେଟ୍ରେ ଏହାକୁ ମଂଜୁରି ମିଳିଛି । ଏହି ଉଠା ଜଳସେଚନ ଜରିଆରେ କେନ୍ଦୁଝର ଜିଲ୍ଲାର ୧୭ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇପାରିବ । ଏଥିପାଇଁ ୫୧୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି । ସେହିପରି ରାଜ୍ୟ ସରକାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ କରିଛନ୍ତି । ୧୦ ହଜାର ୭୫୯ କୋଟି ଟଙ୍କାର ବ୍ୟୟବରାଦରେ ହୋଇଥିବା ବେଳେ ଏହି ଯୋଜନାରେ ୨ ଲକ୍ଷ ୬୩ ହଜାର ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇପାରିବ ବୋଲି କୁହାଯାଇଛି ।

ସେହିପରି ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୯ଟି ଉଠା ଜଳସେଚନ ଯୋଜନାକୁ ମଂଜୁରି ମିଳିଛି । ଖରସୁଆଁ, କାଣି, ବୈତରଣୀ ନଈରୁ ଜଳ ଉତୋଳନ କରି ୧୨ ହଜାର ୯୧୪ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ବନ୍ୟା ନିୟନ୍ତ୍ରଣ ପାଇଁ ଯାଜପୁର ଜିଲ୍ଲା ବୈତରଣୀରେ ହେବ ଦୁଇଟି ବ୍ୟାରେଜ୍ । ଏହାକୁ ମଂଜୁରି ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଜି ରାଜ୍ୟ କ୍ୟାବିନେଟରେ ୩୩ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ ।