ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ଦେଲା ଟିକେଟ୍: ବିଜେପି ଦେଇଛି ୪ ମହିଳା ପ୍ରାର୍ଥୀ, ୯ ଲୋକସଭା ଆସନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

64

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ହେବା ପରେ ସବୁ ଦଳ ଏହି କୋଟା ପୂରଣ କରିବେ ବୋଲି ଲାଗୁଥିଲା । ଗତ ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଓଡ଼ିଶାରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ୍ ଦେଇ କୋଟା ପୂରଣ କରିଛି । କିନ୍ତୁ ବିଜେପି ସବୁଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଆହୁରି ୧୪ଟି ଆସନ ପାଇଁ ତାଲିକା ଘୋଷଣା କରିବାକୁ ବାକି ରହିଛି । ତେବେ କେଉଁ ଦଳ କେତେ ମହିଳାଙ୍କୁ ପ୍ରାର୍ଥୀ କରିଛି ।

ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି । ୨୦୨୬ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି । ଏହାପରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ । କିନ୍ତୁ ଆଶା କରାଯାଉଥିଲା, ଚଳିତ ନିର୍ବାଚନରେ ମଧ୍ୟ ରାଜନୈତିକ ଦଳଗୁଡିକ ଏହି ଅନୁପାତରେ ପ୍ରାର୍ଥୀ ଦେଇପାରନ୍ତି । ଗତ ନିର୍ବାଚନ ଭଳି ଏଥର ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ବରଗଡ଼            ପରିଣୀତା ମିଶ୍ର
ଭଦ୍ରକ              ମଂଜୁଲତା ମଣ୍ଡଳ
ଜଗତସିଂହପୁର   ରାଜଶ୍ରୀ ମଲ୍ଲିକ
ଯାଜପୁର           ଶର୍ମିଷ୍ଠା ସେଠୀ
ଆସ୍କା               ରଂଜିତା ସାହୁ
କୋରାପୁଟ        କୌଶଲ୍ୟା ହିକ୍କା
ବାଲେଶ୍ୱର         ଲେଖାଶ୍ରୀ ସାମନ୍ତସିଂହାର

୭ ଜଣ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ବରଗଡ଼, ଭଦ୍ରକ, ଜଗତସିଂହପୁର, ଯାଜପୁର, ଆସ୍କା, କୋରପୁଟ ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗତକାଲି ବାଲେଶ୍ୱର ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରି ୩୩ ପ୍ରତିଶତ କୋଟା ପୂରଣ କରିବାରେ ସଫଳ ହୋଇଛି ଦଳ । କିନ୍ତୁ ବିଜେପି ଓ କଂଗ୍ରେସ ଏହାଠାରୁ ବହୁ ଦୂରରେ ରହିଛନ୍ତି ।
ବିଜେଡି ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାନସଭାରେ କିନ୍ତୁ ଏହି ଧାରା ବଜାୟ ରଖିପାରିନି । ଅନ୍ୟ ରାଜନୈତିକ ଦଳଙ୍କ କଥା ନକହିଲେ ଭଲ ।
ବିଧାନସଭାରେ ମହିଳା ପ୍ରାର୍ଥୀ

୧୧୭ ବିଧାନସଭାରେ ୨୨ ମହିଳାଙ୍କୁ ଟିକେଟ ଦେଇଛି ବିଜେଡି
୧୧୨ ଆସନରେ ବିଜେପି ମାତ୍ର ୮ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେପି
କଂଗ୍ରେସ ୪୭ ଆସନରେ ମାତ୍ର ୫ ମହିଳା ପ୍ରାର୍ଥୀ

ଉଭୟ ଲୋକସଭା ଓ ବିଧାନସଭାରେ ଏକ-ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ମାନସିକ ସ୍ତରରେ ଏଯାଏଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତ ନଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।