ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ବଡ ଘୋଷଣା । ‘କାଳିଆ ଯୋଜନା’ରେ ସାମିଲ ହେବେ ଆଉ ୩୩ ଲକ୍ଷ ଚାଷୀ ପରିବାର

2,163

କନକ ବ୍ୟୁରୋ : ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଚାଷୀ ଓ ଏସଏଚଜି ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ନବୀନ । ପୂର୍ବ ପ୍ରତିଶୃତି ମୁତାବକ ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ନବୀନ ସରକାର । ଏପରିକି କାଳିଆ ଯୋଜନାକୁ ବର୍ଦ୍ଧିତ କରାଯାଇ ଏଥିରେ ଆହୁରି ୩୩ ଲକ୍ଷ ପରିବାରକୁ ସାମିଲ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ । ଏହାସହ କାଳିଆ ଯୋଜନାରେ ୭୫ ଲକ୍ଷ ପରିବାରକୁ ସାମିଲ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ପୂର୍ବରୁ କାଳିଆ ଯୋଜନାରେ ୪୨ ଲକ୍ଷ ଚାଷୀ ପରିବାରକୁ ସାମିଲ କରାଯାଇଥିଲା ।

ନିର୍ବାଚନ ପୂର୍ବରୁ ରାଜ୍ୟର ଅଧିକାଂଶ ଚାଷୀଙ୍କ ନିକଟକୁ କାଳିଆ ଟଙ୍କା ଯାଇଥିବା ବେଳେ ନିର୍ବାଚନ ସମୟରେ ଏହା ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେବେ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ନିର୍ବାଚନ ସଭାରେ ସ୍ପଷ୍ଟ କରିଥିଲେ ନବୀନ । ଆଉ ଆଜି ସରକାର ଗଠନର କିଛି ଘଣ୍ଟା ମଧ୍ୟରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଆଜି ପ୍ରାୟ ୮.୪ ଲକ୍ଷ ଚାଷୀ ପରିବାରଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବଳକା ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଖୁବଶୀଘ୍ର କାଳିଆ ଟଙ୍କା ପଠାଯିବ ବୋଲି କହିଛନ୍ତି ନବୀନ । ଏପରିକି କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେମାନଙ୍କୁ ମଧ୍ୟ ଦରଖାସ୍ତ ପକାଇବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ନବୀନ ।

ସେହିଭଳି ଏସଏଚଜି ମହିଳାଙ୍କ ପାଇଁ ୧୦୦୦ କୋଟିର କାମକୁ ଅନୁମୋଦନ କରିଛନ୍ତି ନବୀନ ସରକାର । ଯେଉଁଥିରେ ଏସଏଚଜି ମହିଳା ୪୦ ପ୍ରକାରର କାର୍ଯ୍ୟ କରିବେ । ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ପୋଷାକ ତିଆରି କରିବା ଭଳି କାର୍ଯ୍ୟ ରହିଛି । ମଞ୍ଜି ଉତ୍ପାଦନ,ଚାରା ରୋପଣ,ମାଛ ଚାଷ, ହସ୍ପିଟାଲକୁ ଖାଦ୍ୟ ଯୋଗାଣ, ମିଟର ରିଡିଂ ଓ ବିଲ ଆଦାୟ ଭଳି କାର୍ଯ୍ୟ ଦାୟିତ୍ୱ ଏସଏଚଜି ମହିଳା ଗ୍ରୁପକୁ ଦିଆଯିବ ବୋଲି କହିଛନ୍ତି ନବୀନ ।