ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁର ତାର ! ବ୍ରହ୍ମପୁର ଘଟଣା ପରେ ସମ୍ବଲପୁରରେ ବଢୁଛି ଭୟ, ୩ ପରିବାରର ଛାତ ଉପର ଦେଇ କମ୍ ଉଚ୍ଚରେ ଯାଇଛି ୩୩ କେଭି ବିଦ୍ୟୁତ୍ ତାର ।

216

କନକ ବ୍ୟୁରୋ: ବ୍ରହ୍ମପୁର ଘଟଣା ପରେ ଚେଇଁ ଉଠିଥିବା ବିଦ୍ୟୁତ ବିଭାଗ ସମ୍ବଲପୁର ଜିଲ୍ଲାର ବିପଦ ସଂକୁଳ ଅବସ୍ଥାରେ ଥିବା ତାର ଗୁଡିକୁ ସଜାଡିବ କି ଏହାକୁ ନେଇ ଉଠିଛି ପ୍ରଶ୍ନ । ୧୧ କେଭି ବିଦ୍ୟୁତ ତାର ନୁହେଁ, ତାଠାରୁ ଭୟଙ୍କର । ୩୩ କେଭି । ଯେଉଁ ତାର ମାଟି ଛୁଇଁଲେ, ମାଟି ଜଳିଯିବାର କ୍ଷମତା ରଖିଛି । ସମ୍ବଲପୁର ସହର ସରଲାକାନି ତାରିଣୀ ମନ୍ଦିର ପାଖରେ ୩ଟି ପରିବାରର ଛାତକୁ ଲାଗି ରହିଛି ୩୩ କେଭି ତାର । ଫଳରେ ତାର ତଳେ ରହୁଥିବା ଲୋକେ ସବୁ ଦିନ ଭୟରେ ଜୀବନ ଯାପନ କରୁଛନ୍ତି ।

କଥା ଏତିକିରେ ସରିନାହିଁ, ୨୦୧୯ ଫେବୃଆରୀ ମାସରେ ଧର୍ମେନ୍ଦ୍ର ଦାସ ଓ ମମତା ମୁଣ୍ଡାଙ୍କ ପୁଅ ଛାତ ଉପରେ ଖେଳୁଥିବା ବେଳେ ୩୩ କେଭି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ସେତେବେଳେ ତାରକୁ ହଟାଇବା ପାଇଁ ଦାବି ଉଠିଥିଲା । ହେଲେ ଆଜି ବି ସେମିତି ଛାତ ଉପରେ ରହିଛି ମୃତ୍ୟୁର ସେହି ତାର ।

ଛାତ ଉପରକୁ ଗଲେ ହାତରେ ଧରି ହେବ ୩୩ କେଭି ତାର । ଏ ସଂମ୍ପର୍କରେ ୱେସ୍କୋ ମଧ୍ୟ ଅବଗତ ଅଛି । ୩୩ କେଭି ଧନୁପାଲି ଏସ୍ଡିଓଙ୍କ ଅଧିନରେ ଆସୁଥିବା ବେଳେ ଏହାକୁ ସର୍ଭେ କରି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଘରୋଇ ବିଲ୍ ଆଦାୟ କରୁଥିବା କାଲିବାଡି ଏସ୍ଡିଓ । ଛାତ ଉପରେ ଯାଇଥିବା ୩୩ କେଭି ତାର ବର୍ଷେ ତଳୁ ଗୋଟିଏ ପିଲାର ଜୀବନ ନେଇ ସାରିଛି । ଘଟଣାର ଏତେ ଦିନ ପରେ ବି ସେଇଠି ସେମିତି ସେହି ମୃତ୍ୟୁର ତାର ଥିବାରୁ ଅସନ୍ତୋଷ ବଢୁଛି ।